ଅଲେଖ ମହିମା ଆଶ୍ରମରେ ନୂତନ ଟୁଙ୍ଗି ପ୍ରତିଷ୍ଠା ସହ ବିଶ୍ୱର କଲ୍ୟାଣ ପାଇଁ ଅଖଣ୍ଡ ବତୀ ଯଜ୍ଞ ଅନୁଷ୍ଠିତ

କାମାକ୍ଷାନଗର: ନାମ ସଂକୀର୍ତ୍ତନରେ ସମ୍ପୂର୍ଣ ଅଂଚଳ ପ୍ରକମ୍ପିତ ହେଉଥାଏ । ସେଠାରେ ଉପସ୍ଥିତ ଥିବା ସାଧୁ ସନ୍ଥମାନେ ଗେରୁଆ ବସ୍ତ୍ର ପିନ୍ଧିଥାନ୍ତି  । ଏ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ବେଲବସନ୍ତ ଗ୍ରାମର ଦୃଶ୍ୟ । ଏଠାରେ ଥିବା ଅଲେଖ ମହିମା ଆଶ୍ରମରେ ନୂତନ ଟୁଙ୍ଗି ପ୍ରତିଷ୍ଠା ଅବସରରେ ବିଶ୍ୱ କଲ୍ୟାଣ ପାଇଁ ଅଖଣ୍ଡ ବତୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ବାବା ସଞ୍ଜୟ ଦାସଙ୍କ ତତ୍ତ୍ଵାବଧାନରେ ପ୍ରଥମେ ପ୍ରାତଃ ସମୟରେ ସୁଣ୍ଢିକାଟେଣୀ ମହିମା ଆଶ୍ରମ ଠାରେ ଅଖଣ୍ଡ ଜ୍ୟୋତି ଦ୍ଵୀପ ପ୍ରଜ୍ଜ୍ୱଳନ କରି ଗ୍ରାମ ପରିକ୍ରମା କରାଯାଇଥିଲା । ଏହାପରେ ବେଲବସନ୍ତ ମହିମା ଆଶ୍ରମରେ ଅଖଣ୍ଡ ବତୀ ଯଜ୍ଞ ସହ ଘୃତାହୂତି ପ୍ରଦାନ କରାଯାଇ ବିଶ୍ୱଶାନ୍ତି ଯଜ୍ଞ ପାଳନ କରାଯାଇଛି ।

ଏହି ଧାର୍ମିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାବା ଖଗେଶ୍ୱର ଦାସ ଯୋଗ ଦେଇ ଯଜ୍ଞ ଆରମ୍ଭ କରିଥିଲେ । ମହିମା ସାଧୁ ସନ୍ନ୍ୟାସୀ ମାନଙ୍କ ଦ୍ୱାରା ଧର୍ମସଭା, ବ୍ରହ୍ମଧ୍ଵନି ସ୍ଥାପନ, ଭଜନ,ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ପ୍ରାତଃ ସମୟରୁ ଏହିସବୁ କାର୍ଯ୍ୟ ଆରମ୍ଭ ହୋଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲାବେଳେ, ଏଥିରେ ଭାଗନେବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

ଗ୍ରାମବାସୀଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶ୍ୱ କଲ୍ୟାଣ ନିମିତ୍ତ ଅନେକ ମହିମା ସାଧୁ ଯଜ୍ଞରେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଯୁଗରେ ବିଜ୍ଞାନର ଏତେ ଅଗ୍ରଗତି ହୋଇ ସୁଦ୍ଧା ଏହି ମହିମା ଧର୍ମର ସନ୍ଥମାନେ ଗୋଟିଏ ପୁରାତନ ପ୍ରଥାକୁ ଆପଣେଇ ରଖିଛନ୍ତି ଆଜି ପର୍ଯ୍ୟନ୍ତ । ତାହାହିଁ ଦେଖିବା ଭଳି ଦୃଶ୍ୟ ଥିଲା ।

 

You might also like