ରାଜା ରାଜୁଡା ସମୟରୁ ଚାଲିଆସୁଛି ସୁବଳୟା ଗାଁର ଝୁଲଣ ଯାତ୍ରା, ୧୩୯ ବର୍ଷରେ ପଦାର୍ପଣ କରିଛି ଏହି ଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ ହୁଏ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ସୁବଳୟା ଗାଁର ଝୁଲଣ ଯାତ୍ରା ହେଉଛି ଅନ୍ୟତମ । ଏହି ଝୁଲଣ ଯାତ୍ରାରେ ରହିଛି ଭିନ୍ନ ପରମ୍ପରା । ଚଳିତ ବର୍ଷ ଏହି ଝୁଲଣ ଯାତ୍ରା ୧୩୯ ବର୍ଷରେ ପଦାର୍ପଣ କରିଥିବା ବେଳେ ଯାତ୍ରାକୁ ବଡ ଯାକ ଜମକରେ ଗାଁ ଲୋକେ ପାଳନ କରିଛନ୍ତି । ରାଧାକୃଷ୍ଣଙ୍କର ଯୁଗଳ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ସେଥିପାଇଁ ସୁବଳୟାରେ ପ୍ରତିବର୍ଷ ପାଳନ ହୁଏ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ।

ଶ୍ରାବଣ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥାଏ ଝୁଲଣ ଯାତ୍ରା । ଦୀର୍ଘ ୫ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପୂର୍ଣ୍ଣିମା ବାସୀ ଦିନ ଗାଁର ପ୍ରତିଟି ସାହିରେ ମେଳଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୋଳିରେ ରାଧାକୃଷ୍ଣ ଦୋଳି ଖେଳିବା ସହ ଲୋକେ ମହାପ୍ରଭୃଙ୍କ ଯୁଗଳ ଦର୍ଶନ କରିଥାନ୍ତି । ଗାଁର ୫ଟି ସାହିରୁ ମେଢ ବାହାର କରାଯାଇ ପ୍ରତିଟି ମେଢରେ ମହିଳା ସଂକୀର୍ତ୍ତନ, ନାଚ, ଗୀତର ଆସର ଜମିଥାଏ । ଗାଁର ପ୍ରତିଟି ସାହିର ସାଂସ୍କୃତିକ ଅନୁଷ୍ଠାନ, କ୍ଲବର କର୍ମକର୍ତା ନିଜ ନିଜର ମେଢରେ ସାମିଲ ହୋଇ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କୁ ନଗର ପରିକ୍ରମା କରାଇଥାନ୍ତି ।

ପ୍ରତିଟି ମେଢରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ । ଏଥିପାଇଁ ପଡୋଶି ଜିଲ୍ଲାରୁ ମଧ୍ୟ ଲୋକମାନଙ୍କର ସୁଅ ଛୁଟିଥାଏ । ରାଜା ରାଜୁଡା ସମୟରୁ ସୁଦୁର ବୃନ୍ଦାବନରୁ ବିଗ୍ରହ ଆଣି ସୁବଳୟାରେ ପ୍ରତିଷ୍ଠା କରାଯାଇଥିଲା ଏହି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ସେହିଦିନ ଠାରୁ ସୁବଳୟାର ବଳଦେବ କ୍ଲବ ସମେତ ଗାଁର ୫ଟି ପଡାରେ ଲୋକମାନେ ପାଳନ କରୁଛନ୍ତିି ଏହି ଯାତ୍ରା । ରାଜା ରାଜୁଡା ସମୟରୁ ପାଳନ ହୋଇ ଆସୁଥିବା ଏହି ଝୁଲଣ ଯାତ୍ରା ଚଳିତ ବର୍ଷ ୧୩୯ ବର୍ଷରେ ପହଞ୍ଚିଛି । ଗାଁରେ ଝିଅ ବୋହୁଙ୍କ ସମେତ ସମ୍ପର୍କୀୟଙ୍କ ବେଶ ଗହଳି ଲାଗି ରହିଥାଏ ।

ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରାକୁ ଦିନରାତି ବେଶ ମନଭରି ଉପଭୋଗ କରିଥାନ୍ତି ଅଞ୍ଚଳବାସୀ । ବିଶେଷକରି ଚାଷକାର୍ଯ୍ୟ ଶେଷକରି ଲୋକେ ଖୁବ ଆନନ୍ଦ ଉଲ୍ଲାସରେ ଏହି ଯାତ୍ରାକୁ ପାଳନ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ରାଜା ରାଜୁଡା ସମୟରୁ ଓଡିଶାର ପ୍ରାଚୀନ ଝୁଲଣ ଯାତ୍ରା ମଧ୍ୟରେ ସୁବଳୟାର ଏହିଯାତ୍ରା ବେଶ ନାଁ କରିଥିଲା । ଆଜିବି ଶତାଧିକ ବର୍ଷ ପରେ ଝୁଲଣ ଯାତ୍ରାର ମହକ ଭାସି ଉଠୁଛି ଏହି ମାଟିରେ । ରାଧାକୃଷ୍ଣଙ୍କ ଯୁଗଳ ଦର୍ଶନ ସହିତ ଝୁଲଣ ଦୋଳିରେ ରାଧାକୃଷ୍ଣଙ୍କୁ ଦର୍ଶନ କଲେ କୋଟି ଜନ୍ମର ମୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like