ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ବଡଦାଣ୍ଡ

ରଙ୍ଗୀନ ଆଲୁଅରେ ଝଲସୁଛି କେନ୍ଦୁଝର ବଡଦାଣ୍ଡ । ବିଶେଷ କରି ସନ୍ଧ୍ୟାରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପ୍ରଭୁ ଏବେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି । ବିଶ୍ବର ଉଚ୍ଚତମ କେନ୍ଦୁଝରର ନନ୍ଦିଘୋଷ ରଥରୁ ଆସି ପ୍ରଭୁ ଶ୍ରୀବଳଦେବଜିଉ, ମାତା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି । ଏହି ଅବସରରେ କେନ୍ଦୁଝରର ବଡଦାଣ୍ଡ ହୋଇ ଉଠିଛି ଚଳଚଞ୍ଚଳ ।

ଏଠାରେ ବିଭିନ୍ନ ସାଂସ୍କୃତିକ ମଣ୍ଡପରେ ଭଜନ, କୀର୍ତ୍ତନ, ନୃତ୍ୟ, ଗୀତ ଆଦି ପରିବେଷଣ କରାଯାଉଥିବା ବେଳେ, ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରି ମୀନାବଜାର ବୁଲିବାର ଆନନ୍ଦ ଉଠାଉଛନ୍ତି । ଭକ୍ତଙ୍କ ମନୋରଞ୍ଜନ ପାଇଁ ପ୍ରଶାସନ ତରଫରୁ ଆୟୋଜିତ ହେଉଛି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମର ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସହ ଜିଲ୍ଲା ତଥା ରାଜ୍ୟସ୍ତରୀୟ କଳାକାରମାନେ ପ୍ରଦର୍ଶନ କରିଛନ୍ତି ସମ୍ବଲପୁରୀ ଲୋକନୃତ୍ୟ, ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଅନୁସୟା ନାଥଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ କଣ୍ଢେଇ ନାଚ, ଘୋଡାନାଚ, ରଘୁରାଜପୁରର ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା । ଏଥିସହିତ, ଗୁଣ୍ଡିଚା ମନ୍ଦିର ଭଜନ ମଣ୍ଡପ ନିକଟରେ ଆୟୋଜିତ ଭଜନ ସମାରୋହରେ ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନର ଦୃଷ୍ଟି ହୀନ କଳାକାରଙ୍କ ଦ୍ୱାରା ପରିବେଷିତ ଭଜନ ଦର୍ଶକଙ୍କ ମନ ମୋହିନେଇଥିଲା ।

ପ୍ରଭୁଙ୍କୁ ଦର୍ଶନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମୀନାବଜାରକୁ ମନଭରି ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ୱର ଉଚ୍ଚତମ ରଥରେ ବିରାଜମାନ ହୋଇ ଚତୁର୍ଧାମୂରତି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ପ୍ରଭୁଙ୍କୁ ନୃସିଂହ ବାମନ ବେଶରେ ସଜ୍ଜିତ ହୋଇଥିବା ଦେଖି ଭାବ ବିହ୍ବଳ ହୋଇ ଉଠିଥିଲେ ଶ୍ରଦ୍ଧାଳୁ । ପ୍ରଭୁଙ୍କୁ ଜନ୍ମବେଦୀରେ ଦର୍ଶନ କଲେ କୋଟିଜନ୍ମର ପାପକ୍ଷୟ ହେବା ସହିତ ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ, ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ତଥା ବଡଦାଣ୍ଡରେ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମଧ୍ୟ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି କେନ୍ଦୁଝର ଏସଡିପିଓ ।

You might also like