ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ ପାଳନ ହୋଇଥାଏ । ଆଉ ଦୈନନ୍ଦିନ ନୀତିକାନ୍ତି ବି ମହାପ୍ରଭୁଙ୍କର ଅନେକ । ସେଥିରୁ ବନକଲାଗି ନୀତି ଅନ୍ୟତମ । ଏହା ହେଉଛି ସାପ୍ତାହିକ ନୀତି । ଅର୍ଥାତ୍ ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିଥାଏ । ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି ।
ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିଥାନ୍ତି । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଏହା ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥାଏ । କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇଥାନ୍ତି ଭକ୍ତ ଶ୍ରଦ୍ଧାଳୁ ।
ସାଧାରଣ ଭକ୍ତଟିଏ ବୁଝିବା ପାଇଁ ବନକଲାଗିର ଅର୍ଥ ହେଉଛି ମୁଖ ଶୃଙ୍ଗାର ବା ମୁଖ ସଜ୍ଜା । ରତ୍ନ ସିଂହାସନ ଉପରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କର ମୁଖର ଦୀପ୍ତି ବଢ଼ାଇବା ପାଇଁ ହୋଇଥାଏ ଏହି ବନକଲାଗି ନୀତି । ବନକଲାଗି ନୀତିରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥିପାଇଁ ପ୍ରାୟ ୪ରୁ ୫ ଘଣ୍ଟା ସମୟ ଲାଗିଥାଏ ।
ତେବେ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଯେଉଁଥିପାଇଁ ୫ ଘଣ୍ଟା ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଅପରାହ୍ନ ୫ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।