ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ, ଜାଣନ୍ତୁ କଣ କୁହେ କିମ୍ବଦନ୍ତୀ
ବାଲୁଗାଁ: ଚିଲିକା ହେଉଛି ଏସିଆ ମହାଦେଶର ସର୍ବ ବୃହତମ ତଥା ସମଗ୍ର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣ ହ୍ରଦ । ହ୍ରଦଟି ଲମ୍ବ ପ୍ରାୟ ସାଢେ ୬୪ କିମି, ପ୍ରସ୍ଥ ୧୮କିମି ମଧ୍ୟରେ ପରିବ୍ୟାପ୍ତ । ଏହି ଚିଲିକା ହ୍ରଦର ମଧ୍ୟଭାଗରେ ଗୋଟିଏ ଛୋଟ ପାହାଡ଼ରେ ଅବସ୍ଥାନ ହୋଇ ପୂଜା ପାଆନ୍ତି ମା’ କାଳିଜାଇ । ଚିଲିକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କାଳିଜାଇ ।
କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୪୦୦ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜାଇ ନାମକ ଏକ ଝିଅର ବାହାଘର, ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ ପାରିକୁଦ ଠାରେ ସ୍ଥିର ହୋଇଥିଲା । ବାହାଘର ପରେ ଜାଈ ନିଜ ବାପାଙ୍କ ସହିତ ଚିଲିକାର ନୀଳ ଜଳରାଶିରେ ଏକ ଡଙ୍ଗାରେ ବସି ଶାଶୁ ଘର ଯାଉଥିଲା । ସମୟ ପ୍ରାୟ ସନ୍ଧ୍ୟା ହେଇ ଆସୁଥାଏ । ପାଣିପାଗ ବି ଭଲ ଥାଏ । ହେଲେ କୁଆଡେ ଥିଲା କେଜାଣି ସେହି ସମୟରେ ଭାଲେରି ପାହାଡ଼ ଆଡୁ କଳା ହାଣ୍ଡିଆ ମେଘ ଘୋଡାଇ ହୋଇ ଆସିଲା ଆଉ ନିମିଷକ ମଧ୍ୟରେ ଭୟଙ୍କର ଝଡ଼ ତୋଫାନ ହେବାକୁ ଲାଗିଲା । ଏହି ଭୟଙ୍କର ଝଡ଼ର ସାମ୍ନା ଜାଇ ଓ ତା ବାପାଙ୍କୁ କରିବାକୁ ପଡିଥିଲା । ଝଡ଼ର ପ୍ରଭାବ ଏତେ ତୀବ୍ର ଥିଲା ଯେ ଡ଼ଙ୍ଗାଟି ହ୍ରଦ ମଧ୍ୟରେ ଥିବା ଏକ ଗଣ୍ଡରେ ପିଟି ହୋଇ ଓଲଟି ପଡିଥିଲା ।
ଏହି ଦୁର୍ଘଟଣାରେ ଡ଼ଙ୍ଗାର ନାଉରୀ ଓ ଜାଇର ବାପା କୌଣସି ମତେ ବଞ୍ଚିଗଲେ ସତ, ହେଲେ ଜାଇ କୁଆଡେ ଚିଲିକା ଗଭୀର ଜଳ ରାଶିରେ ବୁଡି ଯାଇଥିଲା । ମାତ୍ର ବହୁ ଖୋଜାଖୋଜି ପରେ ମଧ୍ୟ ଜାଇର କୌଣସି ଖବର ମିଳିପାରିନଥିଲା । ଜାଇ ଘରୁ ଗୋଡ଼ କାଢ଼ିଥିଲା ସତ, କିନ୍ତୁ ଶାଶୂଘରେ ପହଁଚିନଥିଲା କି ସଂସାରର ମୋହମାୟାରେ ଜଡିତ ହୋଇପାରିନଥିଲା । ହଁ ପରିସ୍ଥିତିକୁ ବଦଳାଇ ଚାଲିଗଲା । ଶାଶୁ ଘରେ ବୋହୂ ହେବା ପରିବର୍ତ୍ତେ ସାରା ସଂସାରର ମା’ ହେଇଗଲା ଜାଇ ।
ଏମିତି କେତେ ଦିନ ଗଲା ପରେ ସେହି ରାସ୍ତା ଦେଇ ନାଉରୀ ମାନେ ଗଲା ବେଳେ ସେହି ଗଣ୍ଡ ମଧ୍ୟରୁ କାହାର ଚିତ୍କାର ସହିତ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଥିଲା । ପରେ ସେ ସମୟର ପାରିକୁଦ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା କି, ମୁଁ ସେହି ଜାଇ ଯାହାକୁ କାଳିଜାଇ ଭାବରେ ମନ୍ଦିର ନିର୍ମାଣ କରି ପୂଜା କରିବାପାଇଁ ନିର୍ଦ୍ଦେଶ ହୋଇଥିଲା । ପରେ ରାଜା ସେହି ଛୋଟ ପାହାଡ଼ ଉପରେ କାଳିଜାଇ ମନ୍ଦିର ନିର୍ମାଣ କରିଥିଲେ । ସେହିଦିନ ଠାରୁ ସେହି ପାହାଡ଼ ଉପରେ ମା’ କାଳିଜାଇ ପୂଜା ହୋଇ ଆସୁଛନ୍ତି । ଅନେକ ସ୍ଥାନୀୟ ଲୋକ, ଧୀବର ଓ ନାଉରୀଙ୍କ ମୁହଁରୁ ଆଜି ବି ଶୁଣିବାକୁ ମିଳେ ଯେ ବିପଦରୁ ଉଦ୍ଧାର କରିବାକୁ ମାଆ ନିଜେ ଆବିର୍ଭାବ ହୋଇ, ଲୋକମାନଙ୍କୁ ରକ୍ଷା କରିଥାନ୍ତି । ଚିଲିକା ଜଳରାଶିରେ ଜଳାଯାତ୍ରା କରିବା ପୂର୍ବରୁ ମା’ କାଳିଜାଇଙ୍କୁ ମୁଣ୍ଡିଆଟେ ମାରି ଯାତ୍ରା ଆରମ୍ଭ କରିଥାନ୍ତି ମତ୍ସ୍ୟଜୀବୀ । ପାରିକୁଦ ଅଞ୍ଚଳରେ ବିବାହ କାର୍ଯ୍ୟ ପାଇଁ ଡ଼ଙ୍ଗାରେ ଗଲାବେଳେ ପ୍ରଥମେ ମା’ଙ୍କୁ ନଡ଼ିଆ ବାଡେଇ ଚିଲିକା ଜଳରାଶିରେ ମୁଆଁ ଭସାଇ ଯାଇଥାନ୍ତି । ଆଉ ଜଳ ଭାଗରେ ବିପଦ ସମୟରେ ମା’ ହିଁ ସାହା ଭରସା ହୋଇଥାନ୍ତି ।
ଐତିହାସିକ ତଥ୍ୟ ଅନୁସାରେ ମା’ କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ସେ ସମୟର ପାରିକୁଦ ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ଵାରା ନିର୍ମାଣ କରାଯାଇଥଲା । ଏହା ପରଠୁ ମା’ ସେହି ପାହାଡ଼ର ଟାପୁ ଉପରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇଆସୁଛନ୍ତି । ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ଜଣାଶୁଣା । ପ୍ରାୟ ୨୯ ଏକର ପାହାଡ଼ରେ ପରିପୂର୍ଣ ଏହି ଦ୍ୱୀପରେ ମା’ କାଳିଜାଇ ପୂଜା ପାଆନ୍ତି । ମା’ କାଳିଜାଇ ହେଉଛନ୍ତି ଚିଲିକାର ଆକର୍ଷଣର ଏକ ସ୍ଵତନ୍ତ୍ର କେନ୍ଦ୍ରବିନ୍ଦୁ ।
ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଶୀତ ଦିନରେ ମା’ଙ୍କ ଦର୍ଶନ ପାଇଁ ଗଲାବେଳେ ରାସ୍ତାରେ ଚିଲିକାର ନୀଳ ଜଳରାଶିରେ ଵେଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଆଉ ପର୍ଯ୍ୟଟକ ପକ୍ଷୀ ଙ୍କୁ ପାଖରୁ ଦେଖି ବେଶ ଉପଭୋଗ କରିଥାନ୍ତି । ମକର ସଂକ୍ରାନ୍ତିରେ ମାଆ ଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ମନ୍ଦିର ପୀଠରେ ଆଖପାଖ ଅଞ୍ଚଳର ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ । ଆଉ ଯିଏ ଯାହାର ମାନସିକ ରଖିଥାନ୍ତି, କୁକୁଡ଼ା ଓ ବୋଦା ମା’ ଙ୍କ ପାଖରେ ସମର୍ପିତ କରି ମନସ୍କାମନା ପୁରଣ କରିଥାନ୍ତି । ଏହି ସମୟରେ ଗଞ୍ଜା ଲେଢେଇ ମଧ୍ୟ ଦେଖିବାକୁ ମିଳିଥାଏ । ବାଣପୁର ଅଂଚଳର ପ୍ରତ୍ୟକ୍ଷ ଠାକୁରାଣୀ ମା’ ଭଗବତୀଙ୍କ ଭଉଣୀ ହେଉଛନ୍ତି ମା’ କାଳିଜାଇ । ମା’ କାଳିଜାଇଙ୍କ ଆଜ୍ଞାମାଳ ପାଇଁ ଦୁର୍ଗାପୂଜା ସମୟ ରେ ମାଆ ଭଗବତୀ ଅପେକ୍ଷା କରିଥାନ୍ତି ।
ତେବେ କାଳିଜାଇ ମନ୍ଦିରକୁ ଯିବାକୁ ହେଲେ ବାଲୁଗାଁ ଏବଂ ବଡକୁଳ ପାନ୍ଥ ନିବାସ ଠାରୁ ଜଳପଥ ଦେଇ ବୋଟ କିମ୍ବା ଡ଼ଙ୍ଗା ମାଧ୍ୟମରେ ଯିବାକୁ ପଡିଥାଏ । କିନ୍ତୁ ମା’ଙ୍କ ପୀଠ ବହୁ ଅବ୍ୟବସ୍ଥାରେ ମଧ୍ୟରେ ଗତିକରୁଥିବା ଦେଖିବାକୁ ମିଳୁଛି । ଏଠାରେ ଥିବା ସୋଲାର ସିଷ୍ଟମ ଅଚଳ ହୋଇପଡିରହିଥିବା ହେତୁ ସନ୍ଧ୍ୟା ହେଲେ ମା’ଙ୍କ ପୀଠ ଅନ୍ଧାରମୟ ହୋଇପଡୁଛି ।
ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ଫ୍ଲୋଟିଙ୍ଗ ଜେଟି ମଧ୍ୟ ଭାଙ୍ଗି ରୁଜି ନଷ୍ଟ ହୋଇ ପଡ଼ିରହିଛି । ଫଳରେ ପର୍ଯ୍ୟଟକ ମାନେ ଏଥିରେ ପଡି ଆହତ ହୋଇଥିବା ଦେଖିବାକୁ ମିଳୁଛି । ଆଜି ପର୍ଯ୍ୟନ୍ତ ପାନୀୟ ଜଳର ଟିକେ ବ୍ୟବସ୍ଥା ହୋଇପାରିଲାନାହିଁ । ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବାପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି ।