ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କଲେ ଶ୍ରଦ୍ଧାଳୁ

ଗୋପ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ଆଜିର ଦିନରେ ତୀର୍ଥରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ଘ୍ୟ ଦେଲେ ବହୁତ ଶୁଭ ଫଳ ମିଳିଥାଏ । ଏଥିପାଇଁ ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଅପେକ୍ଷା କରିରହିଥାନ୍ତି ଶ୍ରଦ୍ଧାଳୁ । ମାଘସପ୍ତମୀ ତିଥୀରେ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪.୩୭ ମିନିଟରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥିଲା । ଗତକାଲି ସୋମବାର ସକାଳୁ ଭିଡ ଜମିବାରେ ଲାଗିଥିଲା । ମାଘମାସ ସପ୍ତମୀ ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥପୁସ୍କରଣୀରେ ବୁଡ଼ ପକାଇ ସ୍ନାନ କଲେ ସମସ୍ତ ପାପ ରୁ ମୁକ୍ତି ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

ତେବେ ଗତକାଲି ଷଷ୍ଠୀ ତିଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଚନ୍ଦ୍ରଭାଗା ମେଳାପଡ଼ିଆରେ ସମାଗମ ହୋଇଥିଲା । ଚନ୍ଦ୍ରଭାଗା ମେଳାପଡ଼ିଆରେ ମାଘ ‌ଷଷ୍ଠୀ ରାତିରେ ପାରମ୍ପରିକ ରୀତି ଅନୁଯାୟୀ ଶ୍ରଦ୍ଧାଳୁ ମାନେ ବାଉଁଶ କଣି ଓ ବରଡ଼ାପତ୍ର କୁଡ଼ିଆ ତିଆରି କରି ସେଥିରେ ମାଟି ହାଣ୍ଡିରେ  ରୋଷେଇ କରି ଖାଇବା ସହ ଉକ୍ତ ମାଟି ହାଣ୍ଡିକୁ ନିକଟସ୍ଥ  ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ବିଶ୍ରାମ ନେଇ ବୁଡ଼ ପକାଇବା ପାଇଁ ମାଘସପ୍ତମୀର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ।

ନୀତି ଅନୁଯାୟୀ ମାଘ ମେଳାର ତିନି ଆରାଧ୍ୟ ଠାକୁର ମାଧିପୁରର ବାବା ଶ୍ରୀଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ସନ୍ଥପୁରର ବାବା ଐଶାନେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ  ମନ୍ଦିରରୁ ବାହାରି ଘଣ୍ଟ, ଘଣ୍ଟା, ନାଗା, କାଳିକା ନାଚ ମାଧ୍ୟମରେ କୋଣାର୍କ ଏନଏସିରେ ପହଁଞ୍ଚିଲେ ସେଠାରେ ତିନି ଠାକୁର ଭୋଗ ଖାଇବା ପରେ ଚନ୍ଦ୍ରଭାଗା ଅଭିମୁଖେ ବାହାରିଥିଲେ । ତୀର୍ଥ ପୁସ୍କରଣୀରେ ନୀତି ନିର୍ଘଣ୍ଟ ଅନୁଯାୟୀ ୪.୩୭ ମିନିଟରେ ସ୍ନାନ କରିବା ପରେ ସାଧୁସନ୍ଥ ମାନେ ସ୍ନାନ କରିଥିଲେ । ତାପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ତୀର୍ଥପୁସ୍କରଣୀରେ ବୁଡ଼ ପକାଇଥିଲେ ।

ଏହାସହ ପୂର୍ବ ପୁରୁଷରୁ ରହି ଆସିଛି ଆଜିର ଦିନରେ ପିତୃ ପୁରୁଷଙ୍କ ଉଦ୍ୟେଶ ର ସେମାନଙ୍କ ଅସ୍ତି ବିସର୍ଜନ କରିବା ସହିତ ପିଣ୍ଡ ଦାନ କଲେ ପିତୃ ପୁରୁଷ ଅତୃପ୍ତ ଆତ୍ମା ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଆଜିର ଦିନରେ ହଜାର ହଜାର ସଂଖ୍ୟାର ଲୋକେ ଆସି ଅସ୍ତି ବିସର୍ଜନ କରି ମୁଣ୍ଡନ ହୋଇ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରୁଛନ୍ତି।

ତେବେ ଶାନ୍ତିଶୃଙ୍ଖଳର ସହ ବୁଡ଼ ପକାଇବା ପାଇଁ ପୋଲିସ୍ ପ୍ରସାଶନ ପକ୍ଷରୁ ଏସପିଙ୍କ ନେତୃତ୍ୱରେ ୬ ଜଣ ଅତିରିକ୍ତ ଏସପିଙ୍କ ଦାୟିତ୍ୱରେ ୧୩ ଜଣ ଡିଏସପି, ୩୯ ଜଣ ଆଇଆଇସିସି, ହାବିଲଦାର ୨୮ ଜଣ, ୧୨୩ ଜଣ କନେଷ୍ଟବଳ, ୧୧୬ ଜଣ ଏଏସଆଇ ଓ ଏସଆଇଙ୍କ ସହିତ ୩୩ ପ୍ଲାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।  ବିଭିନ୍ନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି  । ବିଶେଷ ଭାବେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ୩୫୦ ଜଣ ସ୍ବେଛାସେବୀ ମଧ୍ୟ ପ୍ରସାଶନ ପକ୍ଷରୁ ଦିନ ରାତି ନିୟୋଜିତ ରହିଥିବାବେଳେ ଚନ୍ଦ୍ରଭଗା ମାଘମେଳା ପଡିଆରେ ପାନୀୟ ଜଳର ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ସହ ସମସ୍ତ ବିଭାଗ ଦ୍ଵାରା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ସୁ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

You might also like