ଆମ ଓଡ଼ିଶାରେ ଆଞ୍ଚଳିକ ଭିତ୍ତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୋନପୁରର କିମ୍ୱଦନ୍ତୀ ତଥା ଲୋକ ସଂସ୍କୃତି ସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କା ପୋଡ଼ି ପର୍ବ ସୋନପୁରର ଅନନ୍ୟ ପରମ୍ପରା ଭିତରୁ ଅନ୍ୟତମ । କିମ୍ୱଦନ୍ତୀ ଓ ଐତିହାସିକ ଦୃଷ୍ଟିକୋଣରୁ ସୋନପୁରକୁ ପଶ୍ଚିମ ଲଙ୍କା ବା ସ୍ୱର୍ଣ୍ଣଲଙ୍କା ବୋଲି କୁହାଯାଏ । ସେଥିପାଇଁ ଲଙ୍କାଧିବାସୀ ଭାବରେ ହନୁମାନଙ୍କ ଲଙ୍କା ପୋଡ଼ିର ସୃତିକୁ ମନେ ପକାଇବା ପାଇଁ ପାଳନ କରାଯାଏ ଏହି ଉତ୍ସବ । ମନ୍ଦିର, କଳା, ସଂସ୍କୃତି ଓ ପରମ୍ପରାର ସହର ହେଉଛି ସୋନପୁର ।
ଏହି ଐତିହାସିକ ସହରରେ ବର୍ଷତମାମ୍ ଅନେକ ପରମ୍ପରା ଲୋକସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟାର ପାଳନ ହେଉଥିବା ଲଙ୍କାପୋଡ଼ି ଉତ୍ସବ ଐତିହ ଓ ଆକର୍ଷଣ ଦୃଷ୍ଟିରୁ ସବୁଠୁ ଅଲଗା । ଏହି ଦିନ ସନ୍ଧ୍ୟାରେ ଛୋଟ ପିଲାମାନେ କୁମ୍ଭାରମାନଙ୍କ ଦ୍ଵାରା ତିଆରି ହନୁମାନ ମୂର୍ତ୍ତିକୁ ସାରା ସହରରେ ବୁଲାଇଥାନ୍ତି । ଏହି ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଆଗରୁ ଚାଲି ଆସିଛି ।
ଲଙ୍କାପୋଡ଼ି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଟେରାକୋଟାର ହନୁମାନର ନିର୍ମାଣ ଶୈଳୀ ଯାହା ସୋନପୁର ଛଡ଼ା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏହି ଉତ୍ସବ ପାଳନ କରିବା ପଛରେ ରହିଛି ଏକ ଐତିହାସିକ ତଥା ପୌରାଣିକ ସତ୍ୟତା । ସୋନପୁରର ଭୌଗଳିକ ପରିସ୍ଥିତି ଓ ଐତିହାସିକ ଦୃଷ୍ଟିକୋଣରୁ ଏହାକୁ ପଶ୍ଚିମ ଲଙ୍କା ବୋଲି କୁହାଯାଇଥାଏ । ସେଥିପାଇଁ ହନୁମାନଙ୍କର ଲଙ୍କା ପୋଡ଼ିର ସୃତିକୁ ଉଦ୍ଜୀବିତ କରିବା ପାଇଁ ସୋନପୁରବାସୀ ପ୍ରତିବର୍ଷ ଲଙ୍କା ପୋଡ଼ି ଉସବ ପାଳନ କରିଥାନ୍ତି । ଏନେଇ ଏକ ବୈଠକ ସ୍ଥାନୀୟ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।
ଲଙ୍କାପୋଡି ମହୋସବର ଅଧ୍ୟକ୍ଷ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ ଯୋଗଦେଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ମୁଖ୍ୟ ୧୦ ପ୍ରକାରର ହନୁମାନ ପ୍ରଦର୍ଶୀତ ହୋଇଥିଲା । ଶେଷରେ ବିଜେତାଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥାନ୍ତି । ଯାହାକୁ ନେଇ ବେଶ ଖୁସି ଥାନ୍ତି ପ୍ରତିଯୋଗୀ । ଏହାପରେ ସାମୁହିକ ଭାବରେ ହନୁମାନ ଚାଳିଶା ମଧ୍ୟ ପାଠ କରାଯାଇଥିଲା । ସୋନପୁରର ଏହି ପରମ୍ପରା ଲଙ୍କା ପୋଡ଼ି ସଂସ୍କୃତି ଉପରେ ଦେଶ ବିଦେଶର ଅନେକ ଗବେଷକ କାମ କରୁଛନ୍ତି । ଏହି ମାଟି ତିଆରି ହନୁମାନ ବିଦେଶରେ ଅନେକ ମ୍ୟୁଜିୟମରେ ସଂରକ୍ଷିତ ହୋଇରହିଛି । ତଥାପି ଏହି ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା କଲେ ଅନେକ ଲୁକାୟିତ ତଥ୍ୟ ଜଣାପଡ଼ନ୍ତା ।