ଭବିଷ୍ୟବକ୍ତା ୨୦୨୫କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା
ନୂଆ ବର୍ଷ ପାଖେଇ ଆସିଲେ ଆପେ ଆପେ ମନକୁ ଆସିଯାଏ ବର୍ଷଟି କେମିତି କଟିବ । ନାସ୍ତିକ ଲୋକଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିଜ ରାଶି ନକ୍ଷତ୍ର ଦେଖି ନିଜକୁ ମାନସିକ ଭାବେ ପ୍ରସ୍ତୁତ କରନ୍ତି ନୂଆ ବର୍ଷ ପାଇଁ । ତେବେ ଇଏ ତ ବ୍ୟକ୍ତିଗତ କଥା ତା ସହିତ ଦେଶ ଦୁନିଆରେ କଣ ଘଟିବ ତାକୁ ନେଇ ମଧ୍ୟ ବର୍ତ୍ତମାନର ଜ୍ୟୋତିର୍ବିଦ ଏବଂ ପୂର୍ବରୁ କେହି କିଛି ଭବିଷ୍ୟବାଣୀ କରିଥିବା କଥା ସବୁ ସାମନାକୁ ଆସେ । ତେଣୁ ୨୦୨୪ ବର୍ଷ ସରିବାକୁ ଆଉ ଦିନ କେଇଟା ବାକି ଥିବା ବେଳେ ୨୦୨୫ ବିଶ୍ବବାସୀଙ୍କ ପାଇଁ କଣ ଭଲ ମନ୍ଦ ନେଇ ଆସୁଛି ତା ଉପରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରି ଦେଲେଣି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ନଜର ପକାଇବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ୨୦୨୫ କଣ ଭେଟି ଦେଇଛୁ ଆମକୁ ।
ଅବଶ୍ୟ ପ୍ରତିଥର ଭଳି ପ୍ରଥମେ ଚର୍ଚ୍ଚାକୁ ଆସିଛି ଏ ଦୁନିଆରେ କଣ ପ୍ରଳୟ ଆସୁଛି କି ? ଅବଶ୍ୟ ଏହା ପୂର୍ବରୁ ମଧ୍ୟ ଅନେକ ଭବିଷ୍ୟବାଣୀ ରହିଛି କି ୨୦୨୫ରୁ ଏ ପୃଥିବୀ ଧ୍ବଂସ ଆଡ଼କୁ ଗତି କରିବ । ଯଦି ମହିଳା ଭବିଷ୍ୟ ବକ୍ତା ବାବା ଭେଙ୍ଗାଙ୍କ କଥାକୁ ଯିବା ତେବେ ତାଙ୍କ ଅନୁସାରେ ନୂଆ ବର୍ଷରେ ୟୁରୋପ ମହାଦେଶରେ ଧ୍ବଂସଲୀଳା ଆରମ୍ଭ ହୋଇଯିବ । ୟୁରୋପରେ ରାଜେନୈତିକ ଅସ୍ଥିରତା, ପରସ୍ପର ମଧ୍ୟରେ ତୀବ୍ର ବିବାଦ ଚାଲୁ ରହିବ । ତା ସହିତ ପ୍ରକୃତି ମଧ୍ୟ ଭୟଙ୍କର ରୂପ ଦେଖାଇବ । ଯେମିତିକି ଝଡ଼ ବାତ୍ୟା, ଭୂମିକମ୍ପ, ବନ୍ୟା ବଡ଼ ବିପତ୍ତି ଆଣିବ । ଏଥିରେ ଅନେକ ଲୋକଙ୍କର ଜୀବନ ଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।
ତେବେ ଏଭଳି ଭୟ ସହିତ କିଛି ଆଶ୍ବସ୍ତି ମଧ୍ୟ ଆଣିଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ଯେମିତିକି କ୍ୟାନସରର ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ ହେବ । ଏହାକୁ ସମୂଳେ ନାଶ କରିବାକୁ ବୈଜ୍ଞାନିକମାନେ ଉପୟା ଖୋଜି ପାଇବେ ।
ଏବେ ଆସନ୍ତୁ ଜାଣିବା ଭବିଷ୍ୟ ବକ୍ତା ନଷ୍ଟ୍ରାଡମସ କଣ ଲେଖି ଯାଇଛନ୍ତି ୨୦୨୫ ପାଇଁ । ତାଙ୍କ ଅନୁସାରେ ଏ ବର୍ଷରେ ଏକ ବିଶାଳ ଗ୍ରହ ପୃଥିବୀ ସହ ପିଟି ହେବାର ଆଶଙ୍କା ରହିଛି । କିଛି ବଡ଼ ଘଟଣା ଘଟିବ ଏହି ବର୍ଷ ଭିତରେ । ସେହିପରି ଆଶ୍ବସ୍ତିର କଥା ହେଉଛି ଯୁଦ୍ଧରୁ ଦୁଇ ଦେଶ ଦୂରେଇ ଯିବେ । ଆଶା କରାଯାଉଛି ଗତ ଦୁଇ ବର୍ଷ ହେବ ଚାଲି ଆସୁଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିଯିବ ।
ଏବେ ଆମେ କିଛି ଭାରତୀୟ ଜ୍ୟୋତିର୍ବିଦଙ୍କ ଆକଳନକୁ ଜାଣିବା । ୨୦୨୫ରେ ମଙ୍ଗଳ ଗ୍ରହ ଅନୁସାରେ ପ୍ରାରମ୍ଭରୁ ଏ ଦୁନିଆ ଚାଲିବ । ଏପ୍ରିଲ ମାସରୁ ସୂର୍ଯ୍ୟ ରହିବେ ପ୍ରଥମ ସ୍ଥାନରେ । ଶନି ଗ୍ରହ ମଧ୍ୟ ରାଶି ପରିବର୍ତ୍ତନ କରିବେ । ସେହିପରି ଗୁରୁ ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବେ । ତେବେ ଗ୍ରହଙ୍କ ପ୍ରଭାବ ଯୋଗୁଁ ଦେଶରେ କ୍ଷମତାସୀନ ଥିବା ସରକାର ଆହୁରି ପ୍ରଭାବଶାଳୀ ହେବ । ହେଲେ ସରକାର ଓ ବିପକ୍ଷ ମଧ୍ୟରେ ଜୋରଦାର ତର୍କବିତର୍କ ଚାଲୁ ରହିବ । ସେହିଭଳି ଲୋକଙ୍କ ମଧ୍ୟରେ ଆକ୍ରୋଶ ଭାବନା ଓ କ୍ଷୋଭ ବଢ଼ିଯିବ । ଦେଶରେ ଚୋରି ଡକାୟତି ଆଦି ବୃଦ୍ଧି ପାଇବ । ସରକାର ଯେତେ କଠୋର ହେଲେବି ଏହାକୁ ରୋକିବା ସମ୍ଭବ ହେବ ନାହିଁ । ଆଗାମୀ ଜୁନରୁ ଅକଟୋବର ମାସ ମଧ୍ୟରେ ବଡ଼ ବଡ଼ ରାଜେନୖତିକ ଘଟଣା ଘଟିବ । କେତେ ରାଜ୍ୟରେ ଶାସନରେ ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହିଥିବା କୁହାଯାଉଛି । ସେହିପରି ମାର୍ଚ୍ ୧୫ରୁ ଜୁନ୍ ୧୧ ଏବଂ ଜୁଲାଇ ୧୧ରୁ ଅକେଟାବର ୭ ତାରିଖ ଯାଏ ଖପ୍ପର ଯୋଗ ରହୁଥିବାରୁ କିଛି ବିଚିତ୍ର ଘଟଣା ଦେଶରେ ଘଟିବାର ଆଶଙ୍କା ରହିଛି ।
ବିଶ୍ବ ସ୍ତରରେ ଆମେରିକା ଓ ରୁଷ୍ ମଧ୍ୟରେ ସମ୍ପର୍କ ଆହୁରି ଖରାଫ ଆଡ଼କୁ ଗତି କରି ପାରେ ବୋଲି କୁହାଯାଇଛି । ପଶ୍ଚିମ ଏସିଆ ଏବଂ ୟୁରୋପରେ ଯୁଦ୍ଧର ସ୍ଥିତି ଆହୁରି ଖରାପ ହୋଇ ପାରେ । ମାର୍ଚ୍ଚ ଆଉ ମେ ମାସରେ ଏଭଳି ଅନେକ ସଂକଟ ଦେଖା ଦେବ । ଏହି ବର୍ଷରେ ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ରହିବ । ତେଣୁ ଆଖି ଓ ହୃଦ ରୋଗ ବଢ଼ିବ ।
ତେବେ ଏସବୁ ଭବିଷ୍ୟବାଣୀ ତ ଚାଲିବ ହେଲେ ଶେଷ କଥା ହେଉଛି ଗୀତା କଣ କହୁଛି । କର୍ମ କରି ଚାଲ ଫଳ ଆପେ ଆପେ ଆପଣଙ୍କ ପାଖକୁ ଆସିବ । କଣ ଘଟିବ ତାକୁ ଆମେ କେହି ଜାଣି ନାହାନ୍ତି କିନ୍ତୁ ଯଦି କିଛି କଥା ଅନୁମାନ କରି ହେଉଛି କିମ୍ବା ବର୍ତ୍ତମାନ ପରିସ୍ଥିତିକୁ ନେଇ କିଛି ଆକଳନ କରି ହେଉଛି ତେବେ ସତର୍କ ଓ ସାବଧାନ ରହିବା ଜରୁରୀ ।