ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀ । ଆଉ କିଛି ସମୟ ପରେ ମହାପ୍ରଭୁ ବିବାହ ବେଦିରେ ବସି ମାଆ ରୁକ୍ମଣୀଙ୍କ ହାତ ଧରିବେ । ଜୀବନ ସାଥି କରିବେ ମାଆ ରୁକ୍ମଣୀଙ୍କୁ । ଜଗତକର୍ତ୍ତାଙ୍କ ବିବାହ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଶ୍ରୀମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲରେ ଅତି ସୁନ୍ଦର ଭାବରେ ସଜାଯାଇଛି ।

ତେଲିଙ୍ଗି ବାଜା ସହ ମୁରୁଜର ଝୋଟିରେ ସିଂହଦ୍ଵାରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରରେ ଆଜି ବିଶେଷ ନୀତି ଥିଲେ ମଧ୍ୟ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଦେବୀ ରୁକ୍ମିଣୀ ସାଜିବେ ମା ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ସାଜିବେ ପ୍ରଭୁ ଶ୍ରୀକୃଷ୍ଣ । ତେବେ ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଚିଠି ଲେଖି ଶ୍ରୀକୃଷ୍ଣଙ୍କୁ ଜଣାଇଥିବେ ।

ଯୋଜନା ଅନୁଯାଇ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀ ରୂପୀ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣ ରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ଶିଶୁପାଳ ପ୍ରତିରୋଧ କରିବାରୁ ଘମାଘୋଟ ଲଢେଇ ହେବ । ତେବେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ଶ୍ରୀମନ୍ଦିରର ସେବକମାନେ ଏହି ନୀତି ଦେବତାଙ୍କ ପକ୍ଷରୁ ସମ୍ପାଦନ କରିଥାନ୍ତି ବୋଲି ସେବାୟତ ଓ ଗବେଷକ କହିଛନ୍ତି ।

ସେପଟେ ଆଜି ଏହି ଅନନ୍ୟ ଦୃଶ୍ୟ ଦେଖିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିବା ବେଳେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।

You might also like