ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଚଳଚଞ୍ଚଳ ହେଲାଣି ଶକ୍ତିପୀଠ । ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ମାଆ ପ୍ରତିଦିନ ଷୋଡଶ ଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ପୂଜା ପାଆନ୍ତି । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ଦୁର୍ଗା ପୂଜା ଅନ୍ୟତମ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତମାନଙ୍କୁ ବରଣୀ କରାଯାଇଛି । ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତି ମିଶ୍ର ଏବଂ ବରିଷ୍ଠ ପୁରୋଧା ଜ୍ଞାନ ରଞ୍ଜନ ପତି ଓ ସରୋଜ କୁମାର ପତିଙ୍କ ନେତୃତ୍ୱରେ ବଳି ମଣ୍ଡପରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।
ପୂଜା ପରେ ଦେବୀଙ୍କ ସିଂହ ଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ହାଟପାଟଣା ଗ୍ରାମର ଶିବ ପାତ୍ରଙ୍କ ବାଡିରୁ କାଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ପୁରୋଧା କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ଅଂଶୁମାନ ଶତପଥି, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରିଥିଲେ । ଏହି ଅବସରରେ ପୂଜକ, ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗର ସେବାୟତମାନେ ଉପସ୍ଥିତ ଥିଲେ ।