ମାଆ ଚର୍ଚ୍ଚିକାଙ୍କ ଅଲୌକିକ ଶକ୍ତି, ଏଠି ଉଷୁନା ଧାନ ହେଉଛି ଗଜା

ବାଙ୍କୀ: ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ଭାବେ ପରିଚିତ ବାଙ୍କୀ ସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠ । ଏଠାରେ ବାର ମାସରେ ମାଆଙ୍କର ସମସ୍ତ ପୂଜା ଅର୍ଚ୍ଚନା ରୀତିନୀତି ମୁତାବକ କରାଯାଇଥାଏ । ଏହି ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି । ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ । ଦେବୀ ଚର୍ଚ୍ଚିକା ଅଷ୍ଟଭୁଜା । ବିଭିନ୍ନ ହସ୍ତରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଛିନ୍ନ ମସ୍ତକ, ସର୍ପ, ଅକ୍ଷମାଳା, ଡମ୍ବରୁ ଏବଂ କନିଷ୍ଠ ଅଙ୍ଗୁଳିକୁ ଦାନ୍ତରେ କାମୁଡିବା ସହ ବକ୍ଷରେ ନରମୁଣ୍ଡମାଳ ଧାରଣ କରିଛନ୍ତି । ତେବେ ମାଆଙ୍କର ପୀଠରେ ଦେଖିବାକୁ ମିଳେ ଅଲୌକିକ ଘଟଣା । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ କଥାଟା ପୁରା ସତ ।

ମାଆ ଚର୍ଚ୍ଚିକାଙ୍କ ମହିମାରୁ ଉଷୁନା ଧାନ ହେଉଛି ଗଜା । ମାଆ ଚର୍ଚ୍ଚିକାଙ୍କ ପୀଠରେ ଯେତେବେଳେ ଷୋଳଦିନାତ୍ମକ ପୂଜା ଆରମ୍ଭ ହୁଏ ସେହି ସମୟରେ ହିଁ ଦେଖିବକୁ ମିଳିଥାଏ ଏହି ଅଲୌକିକ ଘଟଣା । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆ ଚର୍ଚ୍ଚିକାଙ୍କ ପୀଠରେ ଚାଲେ ଷୋଳଦିନାତ୍ମକ ପୂଜା ।

chachika

ମୂଳାଷ୍ଟମୀ ଦିନ ରାଜାଙ୍କ ଘରୁ ବରଣ ଚାଉଳ ଆସିବା ପରେ ମହାନଦୀ ରୁ ୧୦୮ଗରା ଜଳରେ ମାଆ ଚର୍ଚ୍ଚିକାଙ୍କୁ ସ୍ନାନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୁଏ । ମାତ୍ର ନବ ଦୂର୍ଗାଙ୍କ ପାଇଁ ଯେଉଁ ନବଶକ୍ତି କଳସ ସ୍ଥାପନ କରାଯାଏ ତାହା ଉଷୁନା ଧାନରେ ସ୍ଥାପନ କରାଯାଇଥାଏ ତେବେ କଳସ ତଳେ ରହିଥିବା ଉଷୁନା ଧାନ । ଯାହା ଧୀରେ ଧୀରେ ଗଜା ହୋଇ ଧାନ ଗଛ ହୋଇଥାଏ । ତେବେ ମାଆ ଚର୍ଚ୍ଚିକାଙ୍କର ଏହା ଅଲୌକିକ ଶକ୍ତି ବୋଲି ଗବେଷକ କୁହନ୍ତି ।

କାହିଁ କେଉଁ କାଳରୁ ରହିଆସିଛି ଏହି ପୁରାତନ ଶକ୍ତି ପୀଠ । ମାଆ ଚର୍ଚ୍ଚିକାଙ୍କ ମହିମାରୁ ଉଷୁନା ଧାନ ଏଠି ଗଜା ହେଉଛି । ତେବେ ଷୋଳଦିନାତ୍ମକ ପୂଜା ବ୍ୟତୀତ ଅନ୍ୟ ଦିନରେ ଉଷୁନା ଧାନରେ ଗଛ ହୋଇ ନ ଥାଏ । ମାଆ ଚର୍ଚ୍ଚିକାଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏହି କଳସ ଦର୍ଶନ କରି ଫେରନ୍ତି ।