ମା’ଗରୁଡକାଳୀଙ୍କ ନିକଟରେ ପୂଜା କଲେ ଅବିଳମ୍ବେ ପୂରଣ ହୋଇଥାଏ ମନସ୍କାମନା

ଯାଜପୁର ଟାଉନ : କାହିଁ କେଉଁ ଆବହମାନ କାଳରୁ ଯାଜପୁରର ଆଦ୍ୟକାଳୀ ଭାବେ ପୂଜା ପାଇଆସୁଛନ୍ତି ମା’ ଗରୁଡକାଳୀ । ଗରୁଡ ମନ୍ଦିର ନିକଟରେ ବିଦ୍ୟମାନ ଥିବାରୁ ମା’ ଏଠାରେ ଗରୁଡକାଳୀ ଭାବରେ ପୂଜା ପାଇଆସୁଛନ୍ତି । ମା’ଙ୍କର ରହିଛି ଅନେକ ଖ୍ୟାତି ଓ ଅନେକ କୀମ୍ବଦନ୍ତି । ବିଶ୍ୱାସ ରହିଛି ମା’ଙ୍କ ନିକଟରେ ପୂଜା କରି ଯିଏ ଯାହା ମନସ୍କାମନା କରିଥାଏ ତାହା ଅବିଳମ୍ବେ ପୂରଣ ହୋଇଥାଏ । ତେବେ ପ୍ରତିବର୍ଷ କାଳୀପୂଜାରେ ମା’ଙ୍କୁ ବିଶେଷ ଭାବେ ସ୍ଵତନ୍ତ୍ର ରୀତିନୀତିରେ ପୂଜା ଆରାଧନା କରାଯାଇଥାଏ । ମା’ଙ୍କ ନିକଟରେ ମାଛ ମାଂସର ଆମିଷ ଭୋଗ ଲାଗିବାର ବିରଳ ପରମ୍ପରା ରହିଛି  ଯାହା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ ।

ମା’କାଳୀଙ୍କ ନିକଟରେ ଲାଗୁଛି ଆମିଷ ଭୋଗ । ପ୍ରତିଦିନ ସକାଳେ ଲାଗୁଛି ଭୋଗ, ମଧ୍ୟାହ୍ନରେ ଶାଗ ଅନ୍ନର ନିରାମିଷ ଶୁଦ୍ଧ ଓ ସାତ୍ତ୍ବିକ ଭୋଗ । ଆଉ ରାତ୍ରୀରେ ମାଛ ମାଂସର ଆମିଷ ଭୋଗ । ଷୋଡଶ ଉପଚାରରେ ମା’ଙ୍କ ପୂଜା ହୁଏ । ପାଞ୍ଚ ମ’କାର ରୂପେ ମଦ, ମାଛ, ମାଂସ, ମୁଦ୍ରା, ମୈଥୁନ ଆଦି କୁପଦାର୍ଥ ଓ କୁପ୍ରବୃତ୍ତିକୁ ବଳୀ ବା ତ୍ୟାଗ କରିବା ଉଦ୍ଦେଶ୍ୟରେ ଏଠାରେ ଏହାକୁ ଭୋଗ ଲଗାଇ ପୂଜା କରାଯାଇଥାଏ । ପ୍ରତିଦିନ ପ୍ରସାଦ ପାଇ ଶ୍ରଦ୍ଧାଳୁ ଆନନ୍ଦିତ ହୋଇଥାନ୍ତି । କାଳୀପୂଜା ସମୟରେ ପ୍ରତିଦିନ ମା’ଙ୍କ ଦର୍ଶନ ଓ ସାନିଧ୍ୟ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି ।

ଲହ ଲହ ଜିହ୍ୱା, ହାତରେ ଖଡଗ୍, ଖର୍ପର । ଚତୁଃପାର୍ଶ୍ୱରେ ଅନୁଚର । ମହାଦେବ ଶିବଙ୍କ ହୃତପିଣ୍ଡ ଉପରେ ଦଣ୍ଡାୟମାନ ମହାଦେବୀ ମା କାଳୀଙ୍କର ଅପରୂପ । ଦିବ୍ୟରୂପ ଓ ଦିବ୍ୟଲୀଳାର ଅପୂର୍ବ ସମ୍ଭାରରେ ପୁରି ଉଠିଛି ସାରା ପରିବେଶ । ଗରୁଡକାଳୀଙ୍କ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଯାଜପୁର ସହରରେ କାଳୀପୂଜାକୁ ଏକ ଗଣପର୍ବ ଭାବରେ ପାଳନ କରାଯାଉଥିବା ବେଳେ ଗରୁଡକାଳୀ ରହିଛନ୍ତି ସର୍ବାଗ୍ର ସ୍ଥାନରେ ।

ସହରରେ ମା’ଗରୁଡକାଳୀ ଯେ କି ଆଦ୍ୟକାଳୀ ଭାବରେ କାହିଁ କେତେ କାଳରୁ ପୂଜା ପାଇ ଆସୁଛନ୍ତି । ଚଳିତ ବର୍ଷ ଏହି ମଣ୍ଡପକୁ ସ୍ଵତନ୍ତ୍ର ରୂପ ଦିଆଯାଇଛି । ବିଶେଷ ଆକର୍ଷଣୀୟ ତୋରଣ ସାଙ୍ଗକୁ ଶୀତ ତାପ ନିୟନ୍ତ୍ରିତ ମଣ୍ଡପ ଭିତରେ ଥିବା ସୁକ୍ଷ୍ମ କାରିଗରି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଛି ।

ଯାଜପୁରରେ ପ୍ରଥମେ ଆରମ୍ଭ ହୋଇଥିଲା ଗରୁଡ କାଳୀଙ୍କ ପୂଜା । ପ୍ରତିବର୍ଷ କାଳୀପୂଜା ପାଇଁ ଏଇଠୁ ମାଟି ନେଇ ଅନ୍ୟ ସମସ୍ତ ମେଢର ମୂର୍ତ୍ତି ନିର୍ମାଣ ହୋଇଥାଏ । ପୂଜାକମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ହୋଇଥାଏ ସମସ୍ତ ବ୍ୟବସ୍ଥା । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ମିଳିଥାଏ ସମସ୍ତ ପ୍ରକାର ସହଯୋଗ । ଚଳିତ ବର୍ଷ ମଧ୍ୟ ସହରର ପ୍ରାୟ ୪୩ ପାଖାପାଖି ମଣ୍ଡପରେ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି । କିନ୍ତୁ ଗରୁଡକାଳୀ ମଣ୍ଡପ ନିଆରା ସାଜସଜ୍ଜା ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନରେ ସ୍ଵତନ୍ତ୍ର ଛାପ ଛାଡେ ।

 

You might also like