ପାଟଣାଗଡ଼ : ଜୀବ ଜଗତର ଦୁଃଖ ବୁଝିବା ପାଇଁ ମା’ ବିଭିନ୍ନ ଅବତାର ନେଇ ଧରାପୃଷ୍ଠକୁ ଆସିଥାନ୍ତି । ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଗ୍ରାମରେ କାହିଁ କେତେକାଳରୁ ହୋଇଆସୁଛି କରମସାନି ପୂଜା । ଗ୍ରାମର ଆବାଳ ବୃଦ୍ଧବନିତା ଏହି ପୂଜାରେ ବ୍ରତ ରଖୁଥିବାବେଳେ ପ୍ରାୟ ୫ ଶହରୁ ଅଧିକ ବ୍ରତୀ ଗୋଟିଏ ଯାଗାରେ କରିଥାନ୍ତି କରମସାନିଙ୍କ ପୂଜା ।
ପ୍ରଥମେ ଘସିଏନ ଗୌନ୍ତିଆ ଘର ତରଫରୁ କରମସାନି ପୂଜା କରାଯାଉଥିବା ବେଳେ ତତ୍କାଳୀନ ଗୌନ୍ତିଆ ଜଗନ୍ନାଥ ଗଡ଼ତ୍ୟାଙ୍କ ସମୟରେ ଗ୍ରାମରେ ମହାମାରୀ ବ୍ୟାପି ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହି ସମୟରେ ମା’ କରମସାନିଙ୍କୁ ପୂଜା କରିବା ପରେ ମହାମାରୀରୁ ଗ୍ରାମବାସୀ ମୁକ୍ତି ପାଇଥିବାରୁ ସେହିଦିନୁ ଗୋଟିଏ ଜାଗାରେ କରମସାନି ପୂଜା କରିଆସୁଛନ୍ତି ଗ୍ରାମବାସୀ ।
ବର୍ତ୍ତମାନ ପର୍ଯ୍ୟନ୍ତ ଘସିଏନରେ କରମସାନି ପୂଜା କରିବା ପ୍ରାୟ ୨୫୦ ବର୍ଷରେ ପହଞ୍ଚି ଥିବାବେଳେ, ଏବେର ଗୌନ୍ତିଆ ନିମାଇଁ ଗଡ଼ତ୍ୟା ଓ ତାଙ୍କ ଧର୍ମପତ୍ନୀ ଝିଲ୍ଲୀ ଗଡ଼ତ୍ୟାଙ୍କ ନେତୃତ୍ୱରେ ଗ୍ରାମବାସୀ କରିଛନ୍ତି କରମସାନି ପୂଜା ।
କରମସାନି ପୂଜା କରି ଅନେକ ଲୋକଙ୍କ ମାନସିକ ପୂରଣ ହୋଇଥିବା ବେଳେ ମାନସିକ ପୂରଣ ପରେ ବ୍ରତଧାରୀ ପୀଠକୁ ବିଭିନ୍ନ ଜିନିଷ ପ୍ରଦାନ କରିବା ଦେଖିବାକୁ ମିଳିଥାଏ । କରମସାନି ପୂଜାରେ ଏକ ନିର୍ଦ୍ଧିଷ୍ଟ ଗଛର ଡାଳକୁ ବରଣ କରିଆଣି ମା’ କରମସାନିଙ୍କ ପ୍ରତିରୂପ ଭାବି ପୂଜା କରାଯାଉଥିବାବେଳେ ବ୍ରତୀମାନେ ସକାଳୁ ନିର୍ଜଳା ଉପବାସ କରି ସନ୍ଧ୍ୟାରେ ଗ୍ରାମ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକଜୁଟ ହୋଇ ମା’ କରମସାନି ପୂଜା କରିଥାନ୍ତି । ପୂଜାପରେ ରାତ୍ରୀ ଉଜାଗର ପାଇଁ ଗ୍ରାହକବାହକ କରି ବସିରହି ଭଗବାନଙ୍କ ନାଁ ନେଇ ରାତ୍ରିଯାପନ କରନ୍ତି ବ୍ରତୀମାନେ ।
ଭଗବାନଙ୍କ ପୂଜା ସହିତ ବୃକ୍ଷ ପୂଜା ଓଡିଶା ପରମ୍ପରାର ଏକ ଅଭିନ୍ନ ଅଙ୍ଗ ହୋଇଥିବା ବେଳେ, କରମସାନି ପୂଜା କରି ନିଜର ମନସ୍କାମନା ପୂରଣ କରୁଛନ୍ତି ବ୍ରତୀ । ଏଣୁ ପୂଜା ପ୍ରତି ଧୀରେ ଧୀରେ ଶ୍ରଦ୍ଧଳୁଙ୍କ ଅସ୍ଥା ଓ ବିଶ୍ୱାସ ବଢ଼ି ଚାଲିଛି।