ମହାସମାରୋହରେ ପାଳିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଯାତ୍ରା । ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ସନ୍ଧ୍ୟା ୬ଟା ସମୟରେ ତିଥି ଲଗ୍ନ ଅନୁସାରେ ଲଙ୍କେଶ୍ୱରୀଙ୍କ ଦୁଇ ଗୋଟି ପାଟ ଖଣ୍ଡା ଓ ବୁଢାରଜା ମନ୍ଦିରରୁ ବୁଢାରଜାଙ୍କ ଖଣ୍ଡା ପୂଜକଙ୍କ ଦ୍ୱାରା ବାହାରି ଜୁନାଗଡ଼ ଡାକବଙ୍ଗଳା ସ୍ଥିତ ଅସ୍ଥାୟୀ କୁଟୀରକୁ ମାର୍ଜନା ପାଇଁ ଅଣାଯାଇଥିଲା ।
ଅସ୍ଥାୟୀ କୁଟୀରରେ ମା ଲଙ୍କେଶ୍ୱରୀଙ୍କ ସ୍ବର୍ଣ୍ଣକାର ଖଣ୍ଡାଗୁଡିକୁ ମାର୍ଜନା ପରେ ପୁଣି ମା ଲଙ୍କେଶ୍ୱରୀ ପାଟ ଖଣ୍ଡା ଦ୍ୱୟ ମନ୍ଦିରକୁ ପୂଜକମାନଙ୍କ ସହ ବିଶାଳ ପଟୁଆରରେ ବିରବାଦ୍ୟ, ଘୁମୁରା, ଶଙ୍ଖ, ଘଣ୍ଟର ତାଳେ ତାଳେ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମନ୍ଦିରକୁ ଆସି ଷୋଡଶ ଉପଚାରରେ କଳସ ସ୍ଥାପନ ପୂର୍ବକ ପଣ୍ଡିତମାନଙ୍କୁ ଯଥାଯୋଗ୍ୟ ବରଣ କରି ମହାରାଜ ଅନନ୍ତ ପ୍ରତାପ ଦେଓ ପାଟ ଖଣ୍ଡା ଗୁଡିକୁ ପୂଜାର୍ଚନା କରି ଦେବୀଙ୍କ ପାର୍ଶ୍ୱରେ ଷୋହଳ କୁଣ୍ଡି ଚାଉଳ ପୁଞ୍ଜି ଉପରେ ସ୍ଥାପନ କରିଥିଲେ ।
ଏହାପରେ ସୁବର୍ଣ୍ଣ ବିମଣ୍ଡିତ ଲୋହିତ ମନ୍ଦାର ମାଳା ଓ ଲୋହିତ ପାଟ ବସ୍ତ୍ରରେ ସୁଶୋଭିତ ମାଁ ଲଙ୍କେଶ୍ୱରୀ ଦେବୀଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ରଙ୍ଗ ବେରଙ୍ଗୀ ଆଲୋକ ମାଳାରେ ଝଲସି ଉଠିଥିଲା ମା’ଙ୍କ ମନ୍ଦିର । ଅନ୍ୟପଟେ ଏହି ଖଣ୍ଡ।ବସା ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିତରେ ଖୁବ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କେବଳ କଳାହାଣ୍ଡି ନୁହଁ ପଡୋଶୀ ଛତିଶଗଡ଼, ନବରଙ୍ଗପୁର, କୋରାପୁଟ, ରାୟଗଡା ଭଳି ଜିଲ୍ଲାରୁ ହଜାର ହଜାର ସଂଖାରେ ଶ୍ରଦ୍ଧାଳୁ ମା’ଙ୍କ ଆଶିଷ ଲାଭ କରି ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୂର ମଜା ନେଇଥିଲେ ଲୋକେ ।