ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହୁଏ । ମା’ ନିଜ ମନ୍ଦିରରୁ ବାହାରି ନିଜ ଭଉଣୀ ମାନଙ୍କ ସହ ଏକ ଅସ୍ଥାଇ ମଣ୍ଡପରେ ରୁହନ୍ତି । ମା’ ନିଜ ବାପ ଘରେ ସାବିତ୍ରୀ ସାରି ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ଫୁଲବାଣୀର ଶାଳବନରେ ବିରାଜମାନ କରିଛନ୍ତି ଫୁଲବାଣୀ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ । ମା’ ପ୍ରତି ଦୁଇବର୍ଷରେ ଥରେ ବାପଘରକୁ ବୁଲି ଆସନ୍ତି । ନିଜ ଭଉଣୀମାନଙ୍କ ସହ ଏକାଠି ରହି ସନ୍ଧ୍ୟାରେ ନଗର ଭ୍ରମଣକୁ ଯାଆନ୍ତି । ଏହି ସମୟକୁ ମା’ଙ୍କ ଯାତ୍ରା ବୋଲି କୁହାଯାଏ । ମା’ ଅକ୍ଷୟ ତୃତୀୟା ଦିନ ହଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଆସି ଭଉଣୀମାନଙ୍କ ପାଖରେ ରହି ନଗର ଭ୍ରମଣକୁ ଯାଇ ବାପ ଘରେ ସାବିତ୍ରୀ ସାରି ପୁଣି ମନ୍ଦିରକୁ ଫେରି ଯାଆନ୍ତି । ପ୍ରଥମେ ଭକ୍ତମାନେ ବାଜା ବଜାଇ, ବାଣ ଫୁଟାଇ ମହାପଟୁଆରରେ ମା’ଙ୍କ ମନ୍ଦିର କୁ ଯାଇଥାନ୍ତି । ସାଙ୍ଗରେ ନେଇଥିବା ମନ୍ଦାରମାଳକୁ ମା’ଙ୍କୁ ପିନ୍ଧାଇବା ପରେ ଆରାଧନା କରି ପୂଜା ଅର୍ଚ୍ଚନା କରନ୍ତି । ମା’ଙ୍କ ମୁଣ୍ଡରୁ ଫୁଲ ଖସି ଚାଙ୍ଗୁଡିରେ ପଡିଥାଏ । ଯାହାକୁ ମା’ଙ୍କ ଆଜ୍ଞା ମାଳ ବୋଲି କୁହାଯାଏ । ଅର୍ଥାତ ମା’ ସାଙ୍ଗରେ ଆସିବା ପାଇଁ ଅନୁମତି ଦେଲେ ବୋଲି ଭକ୍ତମାନେ ଧରି ନିଅନ୍ତି । ମା’ଙ୍କ ଆଜ୍ଞା ମାଳକୁ ପୁଣି ମହାପଟୁଆରରେ ଆଣି ହାଟପଦା ସ୍ଥିତ ଅସ୍ଥାଇ ମଣ୍ଡପରେ ଏକ ଘଟରେ ସ୍ଥାପନ କରାଯାଏ । ସେହି ଦିନ ସକାଳୁ ମା’ଙ୍କ ଅନ୍ୟ ଚାରି ଭଉଣୀ ବ୍ରାହ୍ମଣୀ ଦେବୀ, ବରାଳଦେବୀ, ବ୍ୟାଘ୍ର ଦେବୀ ଓ ଗ୍ରାମ ଦେବୀଙ୍କୁ ବରଣ କରି ଆଣି ଅସ୍ଥାଇ ମଣ୍ଡପରେ ରଖାଯାଇଥାଏ । ପରଦିନ ମା’ ୪ ଭଉଣୀଙ୍କୁ ଧରି ନଗର ଭ୍ରମଣ ପାଇଁ ବାହାରି ପଡନ୍ତି । ମେ ୧୦ ତାରିଖରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଯାତ୍ରା ଚାଲିବ । ଅର୍ଥାତ ଆସନ୍ତା କାଲି ଶେଷ ହେବ ମା’ଙ୍କ ଏହି ଯାତ୍ରା ।

ଏହି ଯାତ୍ରାରେ ମା’ ଯୁଆଡେ ଯାଆନ୍ତି ଝୁଣା , ଚୁଆ ଚନ୍ଦନ ବାସ୍ନାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମା’ ନଗର ପରି ଭ୍ରମଣ କରୁଥିବା ବେଳେ ଘଟ ମୁଣ୍ଡାଉଥିବା ମହିଳାମାନେ ନିର୍ଜଳା ଉପବାସ କରନ୍ତି । ଥରେ ଖାଇ ମା’ଙ୍କ ଘଟକୁ ମୁଣ୍ଡରେ ନେଇଜଗର ଭ୍ରମଣ କରାଇଥାନ୍ତି ମହିଳାମାନେ ।

ତେବେ ମା’ଙ୍କ ଏହି ଯାତ୍ରା ହେଉଛି ଭାଇଚାରାର ଯାତ୍ରା । ଏହି ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ହୁଏ । ଜିଲ୍ଲା ଭିତରୁ ଓ ଜିଲ୍ଲା ବାହାରୁ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଥାଏ । ଦିନ କୁ ଦିନ ଯମୁଛି ଠାକୁରାଣୀଙ୍କ ଯାତ୍ରା । ଆସନ୍ତା କାଲି ନିଜ ମନ୍ଦିରକୁ ମା’ ପୁଣି ଫେରିଯିବେ । ଦୁଇ ବର୍ଷ ପାଇଁ ପୁଣି ଭକ୍ତମାନେ ମା’ଙ୍କ ଯାତ୍ରାକୁ ଅପେକ୍ଷା କରିବେ ।

You might also like