ପ୍ରତି ତିନି ବର୍ଷରେ ଥରେ ପାଳନ ହୁଏ ମା’ ପୋଲକାଶୁଣୀ ଠାକୁରାଣୀଙ୍କ ଯାତ୍ରା, ସଜେଇ ହୋଇଛି ପୂରା ସହର
ଆସିକା: ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛି ଭିନ୍ନ ପରମ୍ପରା । ପ୍ରତ୍ୟେକ ଗାଁରେ ନିଜ ଆରାଧ୍ୟ ଦେବୀଙ୍କୁ ନେଇ ପାଳିତ ହୁଏ ଯାତ୍ରା । ସମାନ ଭାବେ ମା’ ପୋଲକାଶୁଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆସିକା ସହର l ବିଭିନ୍ନ ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣରେ ସଜେଇ ହୋଇଛି ସମଗ୍ର ଅଞ୍ଚଳ । ଆଖି ଝଲସି ଉଠିଲା ଭଳି ସାଜ୍ଜସଜା ଭକ୍ତ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଠ କରୁଛି । ପ୍ରତି ତିନି ବର୍ଷରେ ଗଞ୍ଜାମ ଜିଲ୍ଲା ଆସିକାଠାରେ ମା’ ପୋଲକାଶୁଣୀ ଠାକୁରାଣୀଙ୍କ ଯାତ୍ରା ବେଶ୍ ଧୁମଧାମରେ ପାଳନ କରାଯାଏ ।
କରୋନା କଟକଣା ହେତୁ ଦୀର୍ଘ ଛଅ ବର୍ଷ ପରେ ଚଳିତ ବର୍ଷ ମହା ଆଡ଼ମ୍ବରରେ ମା’ଙ୍କ ଯାତ୍ରା ପାଳିତ ହେଉଛି । ସାତ ଭଉଣୀ ବା ସପ୍ତ ଠାକୁରାଣୀ ଏକାଠି ଅସ୍ଥାୟୀ ମଣ୍ତପରେ ପୂଜା ପାଉଛନ୍ତି । ଶହ ଶହ ମାନସିକଧାରୀ ଭକ୍ତ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି l ଅପର ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ମୀନାବଜାର ସାଙ୍ଗକୁ ଚଟ୍ ପଟି ଖାଦ୍ୟ ଯାତ୍ରାର ମଜାକୁ ଦ୍ଵିଗୁଣିତ କରୁଛି ।
ମା’ଙ୍କ ଏହି ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି ସାରା ସହର । ଭକ୍ତଙ୍କ ମନରେ ଭରିଯାଇଛି ଆନନ୍ଦ । ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଯାତ୍ରାକୁ ବେଶ ଉପଭୋଗ କରୁଛନ୍ତି ।