ମା’ ରାମାୟାଣାମ୍ମାଙ୍କ ମଥାରୁ ଫୁଲ ଖସିବା ପରେ ଆରମ୍ଭ ହେଲା ସହର ପରିକ୍ରମା, ଧୁମଧାମରେ ଆରମ୍ଭ ହେଲା ଯାତ୍ରା
ପ୍ରତି ଦୁଇ ବର୍ଷକୁ ଥରେ ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଙ୍କ ଯାତ୍ରା ପାଇଁ ସାରା ସହର ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ଆଲୋକ ସଜ୍ଜାରେ ସଜ୍ଜିତ ହୋଇଛି ପୁରା ସହର ।

ଗଞ୍ଜାମ(କେନ୍ୟୁଜ୍): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଯାତ୍ରା ସୋମବାର ଆରମ୍ଭ ହୋଇଯାଇଛି । ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇ ପଡିଛି ସାରା ସହର । ସୋମବାର ବିଳମ୍ବିତ ରାତ୍ରରେ ମା’ ରାମାୟାଣାମ୍ମାଙ୍କ ମଥାରୁ ଫୁଲ ଖସିବା ପରେ ବାଦ୍ୟ ବାଜଣାର ସହିତ ସହର ପରିକ୍ରମା କରାଇ ନିଜ ବାପ ଘରକୁ ନେଇଛନ୍ତି ଯାତ୍ରା କମିଟିର ସଦସ୍ୟ ମାନେ ।
ପ୍ରତି ଦୁଇ ବର୍ଷକୁ ଥରେ ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଙ୍କ ଯାତ୍ରା ପାଇଁ ସାରା ସହର ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ଆଲୋକ ସଜ୍ଜାରେ ସଜ୍ଜିତ ହୋଇଛି ପୁରା ସହର । ପ୍ରାରମ୍ଭରେ ସହର ମଧ୍ୟରେ ଥିବା ମା’ ଠାକୁରାଣୀଙ୍କ ମନ୍ଦିରରେ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଙ୍କ ମସ୍ତକରୁ ଫୁଲ ପଡିଥିଲା । ପରେ ଆଜ୍ଞାମାଳ ଆସିବା ମାତ୍ରକେ ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ଜନ ସାଧାରଣ ବିଭିନ୍ନ ବାଦ୍ୟ ବାଜଣା, ଶଙ୍ଖ ମହୁରୀ ଓ ବିରାଟ ପଟୁଆରରେ ମା ରାମାୟାଣାମ୍ମାଙ୍କୁ ସହର ପରିକ୍ରମା କରାଇ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମାଙ୍କ ଅସ୍ଥାୟୀ ମଣ୍ଡପ ତଥା ନିଜ ବାପ ଘରକୁ ଅଣାଯାଇଥିଲା । ସେଠାରେ ପୂଜକ ମାନେ ଯାତ୍ରା କମିଟି ମ୍ୟାନେଜର ସି.ଏଚ୍. ଦୟାନନ୍ଦ ରେଡ୍ଡୀଙ୍କ ଉପସ୍ଥିତିରେ ରିତୀନିତୀ ଅନୁସାରେ ମା’ଙ୍କ ଆଳତି କରିବା ସହିତ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ ।
ଆସନ୍ତା ୨୯ ତାରିଖରୁ ମାଙ୍କ ଘଟ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ମା’ ରାମାୟାଣାମ୍ମା ସହରର ଗଳି କନ୍ଦି ବୁଲି ଘରକୁ ଘର ଯାଇ ଭକ୍ତ ମାନଙ୍କ ଠାରୁ ଭୋଗ ଗ୍ରହଣ କରିବେ । ପ୍ରତିଦିନ ମା’ଙ୍କ ଘଟ ପରିକ୍ରମା ସରିବା ପରେ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଦହିଭାତ ଭୋଗ କରାଯିବ । ଅନ୍ୟପଟେ ଆସନ୍ତା ୧୨ ତାରିଖ ଠାରୁ ପିଲାଙ୍କ ମନୋରଞ୍ଜନ ପାଇଁ ସହରରେ ରାମଦୋଳି ସମେତ ମୀନା ବଜାର ମଧ୍ୟ ଯାତ୍ରା କମିଟି ପକ୍ଷରୁ ଖୋଲାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।
ମା’ଙ୍କୁ ଦର୍ଶନ କରିବା ଲାଗି ବହୁ ଭକ୍ତ ଏକତ୍ରିତ ହୋଇ ମାଙ୍କ ଏହି ଘଟ ଦର୍ଶନ କରିଥିଲେ । ମା’ଙ୍କ ଏହି ଯାତ୍ରା ପାଇଁ ସହରବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଏବେଠୁ ଘରେ ଘରେ ପିଠାପଣାର ଆସର ଜମିଥିବା ମଧ୍ୟ ଦେଖିବାକୁ ମିଳିଛି ।