ପବିତ୍ର ତୀର୍ଥ କ୍ଷେତ୍ର ପାଲଟିଛି ପାରାବନ୍ଧ ଠାରେ ଥିବା ମା’ ସାବିତ୍ରୀ ଆଡି ପୀଠ

ଭଦ୍ରକ (କେନ୍ୟୁଜ): ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରସିଦ୍ଧ ଶକ୍ତି ପୀଠ ରହିଛି । ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପବିତ୍ର ତୀର୍ଥ କ୍ଷେତ୍ର ପାଲଟିଛି । ଏଭଳି ଏକ ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଓଡ଼ଙ୍ଗ ପଞ୍ଚାୟତର ପାରାବନ୍ଧ ଠାରେ ଥିବା ମା’ ସାବିତ୍ରୀ ଆଡି ପୀଠ । ଯାହା ସଧବା ନାରୀଙ୍କ ପାଇଁ ଏକ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ପାଲଟିଛି । ଏହି ପୀଠର ମାହାତ୍ମ୍ୟ ଯେପରି ରହିଛି ପ୍ରସିଦ୍ଧି ମଧ୍ୟ ସେହିପରି ରହିଛି । ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ପତିବ୍ରତା ସଧବା ନାରୀମାନେ ନିଜ ସ୍ୱାମୀମାନଙ୍କ ସହିତ ଏହି ଶକ୍ତି ପୀଠକୁ ଆସି ସେଠାରେ ବିରାଜମାନଥିବା ମା’ ସାବିତ୍ରୀ ଓ ସତ୍ୟବାନଙ୍କୁ ପୂଜାର୍ଚ୍ଚନା କରି ନିଜର ମନୋବାଞ୍ଛା ଜଣାଇଥାନ୍ତି । ତେବେ ଏହି ପ୍ରସିଦ୍ଧ ପୀଠର ମାହାତ୍ମ୍ୟ କଣ ରହିଛି, କାହିଁକି ଏହା ସଧବା ନାରୀ ମାନଙ୍କ ପାଇଁ ନିଆରା ତୀର୍ଥ ସ୍ଥାନ ପାଲଟିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଓଡ଼ଙ୍ଗ ପଞ୍ଚାୟତ ପାରାବନ୍ଧ ଠାରେ ସରୁ ସାଗର ନଦୀ କୂଳରେ ରହିଛି ମା’ ସାବିତ୍ରୀ ଆଡି ପୀଠ । କାହିଁ କେଉଁ କାଳରୁ ମା’ ସାବିତ୍ରୀ ଓ ସତ୍ୟବାନ ଏଠାରେ ବିରାଜ ମାନ କରିଛନ୍ତି ଯେ ତାର ହିସାବ ନାହିଁ । ତେବେ ପୀଠରେ ସେପରି କିଛି ବିକାଶ ହୋଇ ନାହିଁ ସତ କିନ୍ତୁ ମା’ ସାବିତ୍ରୀ ଙ୍କ ମହିମା ଯୋଗୁ ବର୍ଷର ଗୋଟିଏ ଦିନ ଅର୍ଥାତ ସାବିତ୍ରୀ ବ୍ରତ ଦିନ ହଜାର ହଜାର ସଂଖ୍ୟାରେ ସଧବା ନାରୀମାନେ ଏହି ପୀଠକୁ ଛୁଟି ଆସନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଏହି ପୀଠରେ ଅସମ୍ଭବ ଭିଡ଼ ହୋଇଥିଲା । ସଧବା ନାରୀମାନେ ଏଠାରେ ଦୀପ ଟିଏ ଲଗାଇ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ବିଭିନ୍ନ ମାନସିକ କରିଥିଲେ ।
ଚଳିତ ବର୍ଷ ଏହି ପୂଜା ଉତ୍ସବ ଏଠାରେ ୩ ଦିନ ଧରି ଚାଲିଛି । ଏଥିପାଇଁ ଏଠାରେ ଏକ ମେଳା ଲାଗିଛି । ସେହିପରି ପୂଜା କମିଟି ପକ୍ଷରୁ ପ୍ରବଳ ଖରାକୁ ଡେ଼ଖି ଜଳଛତ୍ର ର ବ୍ୟବସ୍ତା ସହିତ ପାଣି ଟାଙ୍କି ବ୍ୟବସ୍ତା ମଧ୍ୟ କରିଥିଲେ । ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ଆଗରପଡା ପୋଲିସ ପକ୍ଷରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମା’ଙ୍କ ମହିମା କୃପା ଲାଭ ପାଇଁ ପ୍ରତି ବର୍ଷ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ି ଚାଲିଛି । ବାସ୍ତବିକ ଏହି ପ୍ରସିଦ୍ଧ ଶକ୍ତି ପୀଠ ପ୍ରତି ସରକାର ଦୃଷ୍ଟି ଦେଲେ ଏହି ପୀଠର ସାମୁହିକ ବିକାଶ ହୋଇପାରିବ ।