ମହାପୁରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ ମହାପ୍ରାଣାୟ ଦିବସ ସହ ପବିତ୍ର ଓଢଣ ଷଷ୍ଠୀ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାର  ବିରିଡି ବ୍ଲକ ଅଢଙ୍ଗଗଡ଼ ନାଇଲୋ ଠାରେ ସିଦ୍ଧ ସାଧକ ପଞ୍ଚସଖା ମହାପୁରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ ମହାପ୍ରାଣାୟ ଦିବସ ସହ ପବିତ୍ର ଓଢଣ ଷଷ୍ଠୀ  ଓ ସାରସ୍ୱତ ଉତ୍ସବ ପାଳିତ  ହୋଇଯାଇଛି । ଏହି ପବିତ୍ର ଦିବସରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥ ଓ ସାହିତ୍ୟିକ ରାଜନେତା ମାନେ ଯୋଗ ଦେଇ ସାଧୁ ଗୋସ୍ୱାମୀଙ୍କ ଗାଦି ଦର୍ଶନ କରିଛନ୍ତି ।  ପ୍ରଭୁ ଯଶୋବନ୍ତ ପୀଠକୁ ମାଳଚୂଳ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣରେ ଆସି ପ୍ରଭୁଙ୍କ ମୁଣ୍ଡରେ ଲାଗି ହୋଇଥିଲା । ଏହି ନିଆରା ପରମ୍ପରା ବହୁ ପୁରାତନ । ଗୋଟେ ଦିନ ପାଇଁ ଏହା ଶ୍ରୀକ୍ଷେତ୍ରରେ ପରିଣତ ହୋଇଥାଏ । ସ୍ୱୟଂ ଜଗତର ନାଥ  ଜଗନ୍ନାଥ ଏଠାକୁ  ଆସିଥାନ୍ତି ଏହି ଦିନ ଏଠି ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ହୋଇଯାଏ ।

ତେବେ ଏହି ଅବସରରେ ପ୍ରଭୁଙ୍କ ପୂଜାର୍ଚନା  ସହ ମାଳଚୂଳ ଲାଗି ,ମହାପ୍ରସାଦ ସେବା କରାଯାଇଥିଲା । ଏହି ପରମ୍ପରା ଦୀର୍ଘ ୬୦୦ବର୍ଷ ଧରି ଏହି ପବିତ୍ର ଶ୍ରୀକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଲୋକକଥା ଅଛି ମହାପରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ କଥା ରକ୍ଷା କରି ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ଏହି କ୍ଷେତ୍ରକୁ ଆସିଥାନ୍ତି  ଓ ଏହି ଦିନ ଏଠାରେ ପ୍ରସ୍ତୁତ ପ୍ରସାଦ, ମହାପ୍ରସାଦ ହୋଇଥାଏ । ଏହି ଉତ୍ସବ ଏଠାରେ ତିନିଦିନ ବ୍ୟାପି ଚାଲିଥାଏ । ବିଶ୍ୱ ଶାନ୍ତି ମହାଯଜ୍ଞ, ଅଷ୍ଟମ ପ୍ରହାର ନାମଯଜ୍ଞ, ଧୂନୀ, ଶ୍ରୀରାମ ଲୀଳା, ନାଇଲୋ ଓ ଅଢ଼ଙ୍ଗଗଡ ଗ୍ରାମର ମାଳଚୂଳ ଅର୍ପଣ ଆଦି ନୀତିକାନ୍ତି କରାଯାଇଥାଏ ।

ଏହାର ଶେଷ ଦିବସରେ ଯଶୋବନ୍ତ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସାହିତ୍ୟ ସଭା ଓ ସାରସ୍ୱତ ଉତ୍ସବରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଦାସ,ବାଲିକୁଦା ଏରସମା ବିଧାୟକ ସାରଦା ଜେନା, ଜ଼ିଲ୍ଲାପରିଷଦ ଅଧକ୍ଷ୍ୟ ମନୋଜ ଭୋଇ,ସାଧୁ ପ୍ରବଚକ ବ୍ରମହଚାରୀ ବାବା ସତ୍ୟାନନ୍ଦ ଦାସ, ବିରିଡି ବ୍ଲକ ଅଧକ୍ଷ୍ୟା ମମତା ପାତ୍ର, ସଂସଦର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସିଦ୍ଧ ସାଧକ ଯଶୋବନ୍ତ ଗୋସ୍ୱାମୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପବିତ୍ର କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଜନ ସାଧରଣମାନଙ୍କ ପକ୍ଷରୁ ଦାବି ହୋଇଥିବା ବେଳେ ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ସିଦ୍ଧ ସାଧକଙ୍କ ସମାଧି ଦିବସ ଓ ଓଢଣ ଷଷ୍ଠୀକୁ ଏହି କ୍ଷେତ୍ରରେ ପାଳିତ ହେବା ସହ ଶତାଧିକ ଲୋକ ମାନେ ଯୋଗଦେଇ ଯଜ୍ଞର ଚରୁ ଅନ୍ନ ଓ ମହାପ୍ରସାଦ ସେବନ ସହ ତିନି ଦିନ ଯାତ୍ରାରେ ମେଳା, ମନୋହାରୀ ଦୋକାନ ବଜ଼ାର, ଖାଦ୍ୟ ମେଳାର ମଜା ନେଇଥାନ୍ତି । ଏହି ଅବସରରେ ଅଢଙ୍ଗଗଡ଼ ,ନାଇଲୋ ଗ୍ରାମରେ ଏକ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥାଏ ।