୧୦୮ ଗରା ପାଣିରେ ମା’ତାରାତାରିଣୀଙ୍କୁ କରାଗଲା ମହାସ୍ନାନ, ଜାଣନ୍ତୁ କାରଣ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ଚୋରି ହେବା ପରେ ଆଜି ମା’ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନିକଟରେ ସେବାୟତ ପରିବାରର ମା’ ଓ ଭଉଣୀ ମାନେ ଏକତ୍ରିତ ହୋଇ ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ମନ୍ଦିର ଉପରରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମା’ଙ୍କ ମହାସ୍ନାନ । ମହାସ୍ନାନ ପରେ ମା’ଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ମାନେ।

ମହାସ୍ନାନ ଯୋଗୁଁ ଆଜି ମା’ଙ୍କ ରୀତିନୀତିରେ ପ୍ରାୟ ୩ ଘଣ୍ଟା ଲାଗିଥିଲା। ସେପଟେ ମନ୍ଦିରରେ ଚୋରି ହେବା ଘଟଣା ପରେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହ ମନ୍ଦିରର କିଛି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶ୍ରୀ ସୁକ୍ତ, ଦେବୀ ସୁକ୍ତ ସହ ରାତ୍ରୀ ସୁକ୍ତ ଭଳି ଏହି ତିନୋଟି ସୁକ୍ତକୁ ୧୦୮ଥର ପଠନ କରିଥିଲେ । ଏହି ତିନି ପ୍ରକାର ସୁକ୍ତକୁ ପାଠ କରିବା ପାଇଁ ବ୍ରହ୍ମପୁରର ବେଦ ପାଠଶାଳାର ଛାତ୍ର ମାନେ ମନ୍ଦିରକୁ ଆସିଥିଲେ । ଏହାପରେ ମା’ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ମା’ତାରାତାରିଣୀ ।‌ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଥିଲା ବୋଲି କହିଛନ୍ତି ସେବାୟତ । ସେପଟେ ମା’ଙ୍କ ମହାସ୍ନାନ ଯୋଗୁଁ ଆଜି ତିନି ଘଣ୍ଟା ରୀତିନୀତିରେ ବିଳମ୍ବ ହୋଇଛି ।

ସେପଟେ ଆଜି ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭୋରରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ମା’ଙ୍କ ମନ୍ଦିରରେ ଏଭଳି ଚୋରି ହୋଇଥିବା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ ଭକ୍ତ ମାନେ । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ସହ ମା’ଙ୍କ ଗହଣା ଚୋରି କରିବା ନିହାତି ଏକ ବଡ଼ ପାପ । ତେଣୁ ଯେଉଁ ମାନେ ଏଭଳି ଚୋରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଭକ୍ତ ‌।

ସେପଟେ ମା’ଙ୍କ ମନ୍ଦିରରେ ଚୋରି ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ତତ୍ପର ରହିଛି । ମନ୍ଦିରରେ ସିସିଟିଭି କ୍ୟାମେରାକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଜଗୁଆଳୀ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ।

ଗତ ୫ ତାରିଖ ମଧ୍ୟ ରାତ୍ରୀରେ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟର ନିର୍ମଳଝର ମନ୍ଦିରରେ ଚୋରି ହୋଇଛି ‌। ଯାହାଫଳରେ ବର୍ତ୍ତମାନ ଚୋରଙ୍କ ଟାର୍ଗେଟ ଏବେ ମନ୍ଦିର ଉପରେ ରହିଥିବା ଅନୁମାନ ହେଉଛି ।

 

You might also like