ମାର୍ଗଶିର ମାସର ମାଣବସା ଗୁରୁବାର, ଓଡିଆଣୀ ମହିଳା ମାନଙ୍କର ଏକ ବିଶେଷ ପର୍ବ
କାକଟପୁର: ସକାଳୁ ସକାଳୁ ହୁଳହୁଳି ଶଙ୍ଖନାଦରେ ପୂରି ଉଠୁଛି ପୁରା ପରିବେଶ । ପ୍ରତି ଘରେ ଘରେ ମା ଲକ୍ଷ୍ମୀଙ୍କ ପାଦ ପଦ୍ମ ଝୋଟି ଚିତାରେ ଝଲସୁଛି ଦାଣ୍ଡ ଦୁଆର । ଆଜି ହେଉଛି ଓଡ଼ିଆ ଘରର ମାଣବସା ଓଷା । ଓଡିଆ ପରମ୍ପରା ଅନୁସାରେ ବାରମାସରେ ତେରପର୍ବ । ସେଥିମଧ୍ୟରୁ ମାର୍ଗଶିର ମାସର ମାଣବସା ଗୁରୁବାର ହେଉଛି ଓଡିଆଣୀ ମହିଳା ମାନଙ୍କର ଏକ ବିଶେଷ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପର୍ବ ବା ବ୍ରତ ଓଡିଆ ଘରର ଝିଅ ବୋହୂ ମାନଙ୍କର ପରମ୍ପରା ଏବଂ ବିଶ୍ବାସର ଶ୍ରେଷ୍ଠ ପର୍ବ ଭାବରେ ପ୍ରତି ଓଡିଆ ପରିବାରରେ ପାଳନ କରାଯାଇଥାଏ ।
ମାର୍ଗଶିର ମାସ ଆସିଲେ ଓଡିଆଣୀ ବୋହୁଟିଏ ନିଷ୍ଠା ଏବଂ ଭକ୍ତିର ସହକାରେ ତା’ର ଠାକୁର ଘରକୁ ଝୋଟି ଆଉ ଚିତାରେ ସଜାଇଦିଏ । ଆଉ ଘର ଅଗଣାରେ ଆଙ୍କିଦିଏ ଲକ୍ଷ୍ମୀ ପାଦ ଝୋଟି । ମାର୍ଗଶିର ମାସର ଗୁରୁବାରରେ ଓଡିଆ ଘରର କୁଳବଧୁ ଘରକୁ ମନ୍ଦିର ଭାବରେ ସଜାଇଦିଏ,ଆଉ ସେଠାରେ ଆବାହନ କରେ ମା ଲକ୍ଷ୍ମୀଙ୍କୁ । ମାର୍ଗଶିର ମାସ ଗୁରୁବାରକୁ ମାଣବସା ଗୁରୁବାର ଭାବରେ ଓଡିଆ ଘର ମାନଙ୍କରେ ପାଳିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚସଖା ଯୁଗର ମହନ୍ତ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣରୁ ଏହି ମାଣବସା ଗୁରୁବାର ବ୍ରତ ଆରମ୍ଭ ହୋଇଛି ।
ଲକ୍ଷ୍ମୀପୁରାଣର କାହାଣୀ ଅନୁଯାୟୀ ମା ଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଐଶ୍ଵର୍ଯ୍ୟର ଠାକୁରାଣୀ ଯିଏ ଜଗନ୍ନାଥଙ୍କ ପାଟ୍ଟରାଣୀ । ଏହି ପୁରାଣରେ ଚଣ୍ଡାଳ ଘରକୁ ମହାଲକ୍ଷ୍ମୀ ଯାଇଥିବା ଯୋଗୁଁ ମା ଲକ୍ଷ୍ମୀ ଙ୍କୁ ଶ୍ରୀମନ୍ଦିର ରୁ ବହିସ୍କାର କରିଥିଲେ ବଳରାମ ଏବଂ ଜଗନ୍ନାଥ ମହାପ୍ରଭୁ । ଯାହାର ଫଳ ସ୍ୱରୂପ ଏହି ପୁରାଣରେ ମା ଲକ୍ଷ୍ମୀ ସମାଜରୁ ଜାତି ଅଜାତି ଛୁଆଛୁତି ଦୂର କରି ମଣିଷ ଜାତି ଏକ ବୋଲି ଶିକ୍ଷା ଦେଇଥିଲେ । ଏବଂ ଯାହାର ପରିଣାମ ସ୍ୱରୂପ ବଳରାମ ଏବଂ ଜଗନ୍ନାଥଙ୍କୁ ଦୀର୍ଘ ବାରବର୍ଷ କାଳ ଅନ୍ନ ଜଳ ମିଳିପାରିନଥିଲା । ସେହି ପୌରାଣିକ କାହାଣୀର ସମାଜ ସଂସ୍କାରକ ଭାବରେ ମା ମହାଲକ୍ଷ୍ମୀଙ୍କୁ ସାରା ଓଡିଆ ଜାତି ଆଜି ମାର୍ଗଶିର ମାସ ଗୁରୁବାର ବା ମାଣବସା ଗୁରୁବାର ଭାବରେ ଆଜି ବି ପୂଜାକରି ଆସୁଛି ।
ମାଣବସା ଗୁରୁବାର ପାଇଁ ଓଡିଆ ଘରର ମହିଳା ମାନେ ଅନେକ ନିଷ୍ଠା ଏବଂ ଭକ୍ତି ସହକାରେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । ମାଣ ବସିବା ପୂର୍ବରୁ ମହିଳା ମାନେ ଘର ଦ୍ଵାରକୁ ଜଳରେ ଧୁଆଧୋଇ କରି ଅଗଣା ଏବଂ ଦ୍ଵାର ଆଗରେ ଚିତା ଏବଂ ଝୋଟି ପକାଇଥାନ୍ତି । ଗୁରୁବାର ଦିନ ପ୍ରାତଃ ସମୟରୁ ମହିଳା ମାନେ ସ୍ନାନ ଶୌଚ ସାରି ଠାକୁର ଘର ମଧ୍ୟରେ ମାଣ ବସାଇଥାନ୍ତି, ଓଡିଆ ଘରର ବିଧି ଅନୁଯାୟୀ ଏକ କାଠ ଖଟୁଲି ମଧ୍ୟରେ ନୂଆ ଶେତ୍ବ ଧାନକୁ ରଖାଯାଇଥାଏ ଏବଂ ଏହା ଉପରେ ଧାନପୂର୍ଣ୍ଣ ମାଣ ରଖାଯାଇ ସେଥିରେ ଗୁଆ ବସାଯାଇଥାଏ । ଖଟୁଲିରେ ରଖାଯାଇଥିବା ଧାନ ଉପରେ ନୂଆବିରି,କଦଳୀ, ଆଖୁ ରଖାଯାଇ ସେଥିରେ ଧାନ ମେଣ୍ଟାକୁ ବସା ଯାଇଥାଏ ଏବଂ ଏହାରି ଉପରେ ପାଟବସ୍ତ୍ରକୁ ଢାଙ୍କି ଦିଆଯାଇଥାଏ । ଏହାକୁ ମାଣ ବା ମାଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ଗ୍ରହଣ କରାଯାଇ ମହିଳା ମାନେ ପୂଜାର୍ଚନା କରିଥାନ୍ତି ।
ମାଣ ବସିବାପାଇଁ ଆବଶ୍ୟକ ଧାନ ଠାରୁ ଆରମ୍ଭ କରି ନୈବେଦ୍ୟ ଲାଗି ହେବା ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଯେପରି ଧାନ, ଅରୁଆ ଚାଉଳ,ବିରି ,ପନି ପରିବା ସମସ୍ତ ଦ୍ରବ୍ୟ ନୂଆ ବା ଚଳିତ ବର୍ଷ ଉତ୍ପାଦିତ ହୋଇଥିବା ଜରୁରୀ ହୋଇଥାଏ । ଓଡିଆ ଲୋକଙ୍କ ବିଶ୍ବାସ ରହିଛି ଯେ ଏହି ଦିନରେ ମା ଲକ୍ଷ୍ମୀ ନଗର ଭ୍ରମଣ କରିଥାନ୍ତି ଏବଂ ଯେଉଁ ଭକ୍ତ ମା ଲକ୍ଷ୍ମୀଙ୍କୁ ଶ୍ରଦ୍ଧା ଏବଂ ଭକ୍ତି ସହକାରେ ଉପାସନା କରିଥାନ୍ତି ମା ତାଙ୍କୁ ଅନ୍ନ,ବସ୍ତ୍ର, ଧନଧାନ୍ୟରେ ଅଭାବ କରିନଥାନ୍ତି । ସେଥିପାଇଁ ମାର୍ଗଶିର ମାସ ଗୁରୁବାର ବ୍ରତକୁ ଚାଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ ପାଳନ କରିଥାନ୍ତି ।