କଟକ ସହରରେ ବାଜିଲା ପାର୍ବଣର ବିଗୁଲ, ମା’ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଉଠା

ପାଖେଇ ଆସୁଛି ପାର୍ବଣ ଋତୁ । ମା’ ଦଶଭୂଜାଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଉଠାଣର ଶୁଭାରମ୍ଭ । ହିନ୍ଦୁ ଧର୍ମରେ ଜନ୍ମଷ୍ଟମୀ ଦିନରୁ ମାଟି ଉଠା ଯିବାର ପରମ୍ପରା ରହିଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହିତ ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କ ଜନ୍ମ ମଧ୍ୟ ଜନ୍ମାଷ୍ଟମୀରେ ହୋଇଥିଲା । ଜନ୍ମାଷ୍ଟମୀ ତଥା ନନ୍ଦୋତ୍ସବ ଅବସରରେ କଟକ ସହରରେ ବାଜିଲା ପାର୍ବଣର ବିଗୁଲ । ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କରିଛନ୍ତି ପୂଜା କମିଟି । ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ଉଠା । ମଙ୍ଗଳାବାଗ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।

ରୀତିନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଆଜି ନନ୍ଦ ଉତ୍ସବ ଅବସରରେ ଅନେକ ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂଜା ମଣ୍ଡପ କର୍ମକର୍ତ୍ତା ଝାଞ୍ଜ କୀର୍ତ୍ତନ କରି ପବିତ୍ର ମହାନଦୀ ଓ କାଠଯୋଡ଼ି ନଦୀ କୂଳରୁ ମାଟି ଉଠାଇଛନ୍ତି । କଟକର ଅଧିକାଂଶ ପୂଜା ମଣ୍ଡପରେ ନନ୍ଦୋତ୍ସଵରେ ମାଟି ଉଠାଇବାର ପରମ୍ପରା ରହିଛି । ଅନ୍ୟ କେତେକ ମଣ୍ଡପ ରାଧାଷ୍ଟମୀରେ ମା’ ଙ୍କର ମୁଣ୍ମୟୀ ମୂର୍ତ୍ତି ପାଇଁ ମାଟି ଉଠାଇବାର ବିଧି ରଖିଛନ୍ତି ।

୫୦୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି କଟକ ସହରରେ ଶାରଦୀୟ ଦୁର୍ଗାପୂଜା ଆୟୋଜିତ ହୋଇ ଆସୁଛି । କହି ରଖୁଛୁ, କଟକ ସହରରେ ପ୍ରାୟ ୧୬୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି । ଏହି ମାଟି ଅନୁକୂଳ ପରେ ହିଁ ଆରମ୍ଭ ହୋଇଥାଏ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ତେଣୁ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭୁବନେଶ୍ୱରର କେତେକ ପୂଜା କମିଟି ମଧ୍ୟ ମାଟି ଉଠାଇଛନ୍ତି । ଭୁବନେଶ୍ୱରର ଅନେକ ପୂଜା କମିଟି କୁଆଖିଆ ନଦୀ ପଠାରେ ପହଞ୍ଚି ମାଟି ମାଙ୍କ ପୂଜା ପାଇଁ ମାଟି ଉଠାଇଛନ୍ତି । ନୟାପଲ୍ଲୀ, ସହିଦନଗର, ବରମୁଣ୍ଡା, ଝାରପଡ଼ା, ଚନ୍ଦ୍ରଶେଖରପୁର ଭଳି ଅନେକ ପୂଜା କମିଟି ନଦୀ ପଠାରେ ପହଞ୍ଚି ମାଟି ଉଠାଇଛନ୍ତି ।

You might also like