କୋଣାର୍କ : ଧର୍ମ ମାସ କାର୍ତ୍ତିକ । ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍ ମହତ୍ତ୍ୱ ରହିଛି । କୁହାଯାଏ କାର୍ତ୍ତିକ ମାସ ପରି ମାସ ନାହିଁ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ ।
ତେବେ ଆଜି ପବିତ୍ର କାର୍ତ୍ତିକମାସ ତୃତୀୟ ଶନିବାର । ଶନିବାର କୋଣାର୍କ ସୂର୍ଯ୍ୟମନ୍ଦିର ବେଢାରେ ଥିବା ନବଗ୍ରହ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଲାଗିରହିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଗ୍ରହ ପୀଡାରୁ ମୁକ୍ତି ନିମନ୍ତେ ନବଗ୍ରହ ପୀଠରେ ଆଜି ସକାଳୁ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ ।
ଶ୍ରଦ୍ଧାଳୁମାନେ ଏହି ପୀଠରେ ଶାରୀରିକ ଅକ୍ଷମ ଓ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ନିମନ୍ତେ ଶିଶୁ ମାନଙ୍କୁ ବାଲିରେ ପୋତି ପ୍ରାର୍ଥନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପିଲାମାନଙ୍କ ପାଇଁ ମାନସିକ ରଖି ନବଗ୍ରହ ପୀଠରେ ଶିଶୁ ମାନଙ୍କୁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତିଲେ ପୋଲିଓ, ବାତ ରୋଗ ଆଦି ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ନବଗ୍ରହ ପୀଠରେ କୋଣାର୍କ ଥାନା ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବହୁ ଭକ୍ତ ଏଠାକୁ ଆସି ମାନସିକ କରିବା ସହ ସୂର୍ଯ୍ୟମନ୍ଦିର ବେଢା ନବଗ୍ରହଙ୍କୁ ପୂଜା କରି ଆଶିଷ ଭିକ୍ଷା କରିଛନ୍ତି ।