ମାଘ କୃଷ୍ଣପକ୍ଷ ଏକାଦଶୀଠାରୁ ୯ଦିନ ବ୍ୟାପୀ ଚାଲିବ ଏହି ଓଳାଶୁଣୀ ଗୁମ୍ଫା ମେଳା, ଶ୍ରଦ୍ଧାଳୁ ପ୍ରବଳ ଭିଡ଼

ଯାଜପୁର: ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପାହାଡରେ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା । ସନ୍ଥ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ତିଥିରେ ଶହଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ମାଘକୃଷ୍ଣ ଏକାଦଶୀଠାରୁ ୯ ଦିନ ବ୍ୟାପୀ ପାଳନ କରାଯାଇଥାଏ ଏହି ମେଳା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡପିଠା ଭୋଗ କରିଥାନ୍ତି । ଅରକ୍ଷିତଙ୍କ ଆଶୀର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୂଣ୍ୟ ଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଚଳିତ ବର୍ଷ ଏହି ମେଳାକୁ ଆଡମ୍ବର ସହକାରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ଦର୍ଶନ ସହ ପୋଡ ପୀଠା ଭୋଗ କରୁଥିବା ବେଳେ ପୀଠକୁ ବହୁ ସାଧୁସନ୍ଥଙ୍କର ମଧ୍ୟ ସମାଗମ ହୋଇଛି ।

ଓଳାଶୁଣୀ ମେଳା ପାଇଁ ଚଳଚଂଚଳ ହୋଇଛି ଓଳାଶୁଣୀ ପହାଡ । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବାପରେ ବେଢା ପରିକ୍ରମା କରିଥାଏ । ଏହି ମେଳା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ଲାଗିଥାଏ । ମେଳା ବୁଲିବା ସହ ଲୋକ ଏହାର ମଜା ଉଠାଇଥାନ୍ତି । ଚଳିତ ବର୍ଷ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ଚଳିତ ବର୍ଷ ଗୌର ବିହାର ମଠର ମୁଖ୍ୟ ପୀଠାଧୀଶ ମହନ୍ତ ସୁବଳ ଚରଣ ଦାସଙ୍କୁ ଟ୍ରଷ୍ଟ ପକ୍ଷରୁ ‘ସନ୍ଥ ଅରକ୍ଷିତ ଦାସ ସମ୍ମାନ’ ଓ ଶ୍ରୀ ଜଗନ୍ନାଥ ଚେତନା ଓ ଗବେଷଣା ପ୍ରତିଷ୍ଠାନର ମହାସଚିବ ଡ଼. ନରେଶ ଚନ୍ଦ୍ର ଦାଶଙ୍କୁ ‘ମା ଓଳାଶୁନି ସମ୍ମାନ’ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉନ୍ନୟନ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶୁଭେନ୍ଦୁ କୁମାର ଭୂୟାଁ କାର୍ଯ୍ୟକ୍ରମ ସଂଚଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଚଳିତ ବର୍ଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୮ତମ ମହାପ୍ରୟାଣ ଦିବସ ପାଳିତ ହେଉଥିବା ବେଳେ ପୀଠକୁ ଛଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।

 

 

 

You might also like