ବୟସର ଅପରାହ୍ନରେ ନାଚୁଛନ୍ତି ସଂକୀର୍ତ୍ତନ, ବାର୍ଦ୍ଧକ୍ୟତା ଯେମିତି ଫିକା ପଡ଼ି ଯାଇଛି

ଚାଲିଛି ହରିନାମ ସଂକୀର୍ତ୍ତନ । ମୃଦଙ୍ଗ, ତାସା ଝୁମକାର ତାଳେ ତାଳେ ନାଚୁଛି ଘୋଡ଼ା । ହରିନାମ ସଂକୀର୍ତ୍ତନରେ ନାଚୁଥିବା ସମସ୍ତଙ୍କ ବୟସ ପ୍ରାୟ ୭୦ ପାଖାପାଖି । ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ନାଚୁଛନ୍ତି । ହରିନାମ ଆଗରେ ବୟସ, ବାର୍ଦ୍ଧକ୍ୟତା ଯେମିତି ଫିକା ପଡ଼ି ଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ହରିନାମେ କି ରସ ଅଛି…ପାନ କଲା ଲୋକ ସିନା ଜାଣିଛି । ଚାଲିଛି ହରିନାମ ସଂକୀର୍ତ୍ତନ । ମୃଦଙ୍ଗ, ତାସା ଝୁମକାର ତାଳେ ତାଳେ ନାଚୁଛି ଘୋଡ଼ା । ଝୁମକା ଧରି ବଜାଉଥିବା ବ୍ୟକ୍ତିଙ୍କୁ ଟିକେ ଦେଖନ୍ତୁ । ବୟସର ଅପରାହ୍ନରେ ପହଁଚି ସାରିଲେଣି ସେ । ତଥାପି ଝୁମକା ଧରି ହରିନାମର ତାଳେ ତାଳେ ବିଭିନ୍ନ ନୃତ୍ୟ ଶୈଳୀ ସହ ବଜାଇ ଚାଲିଛନ୍ତି । ଏହି ବୟସରେ ବି ଥକି ପଡ଼ୁନାହାଁନ୍ତି ସେ । ହରିନାମ ଯେମିତି ତାଙ୍କୁ ବଳ ଯୋଗାଉଛି । କେବଳ ଏହି ଝୁମକା ଧିରି ବଜାଉଥିବା ବ୍ୟକ୍ତି ନୁହଁନ୍ତି ଏଠି ହରିନାମ ସଂକୀର୍ତ୍ତନରେ ନାଚୁଥିବା ସମସ୍ତଙ୍କ ବୟସ ପ୍ରାୟ ୭୦ ପାଖାପାଖି । ବୃଦ୍ଧ ବୟସରେ ବି ସମସ୍ତେ ନାଚି ଚାଲିଛନ୍ତି ।  ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ନାଚୁଛନ୍ତି । ହରିନାମ ଆଗରେ ବୟସ, ବାର୍ଦ୍ଧକ୍ୟତା ଯେମିତି ଫିକା ପଡ଼ି ଯାଇଛି । ବାହୁରେ ଯେମିତି ଯୁବବସ୍ଥାର ବଳ ଚାଲି ଆସୁଛି ସମସ୍ତଙ୍କର । ଏଦୃଶ୍ୟକୁ ଟିକେ ଦେଖନ୍ତୁ ପାକୁଆ ପାଟିରେ ମାଇକ୍ରୋଫୋନ ଧରି ବୃଦ୍ଧ ଜଣକ ହରିନାମ ଗାଇ ଚାଲିଛନ୍ତି । ଆଉ ତାକୁ ପାଲିଆ ଧରୁଛନ୍ତି ଅନ୍ୟମାନେ ।

ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଁପୁର ଗ୍ରାମର । ଠାକୁରଙ୍କ ନାମ ସଂକୀର୍ତ୍ତନରେ ବୟସ ଏଠାରେ ବାଧକ ସାଜୁନି । ସମୟ ବି ଯେମିତି ସ୍ଥିର ହୋଇଯାଇଛି ଓ ପେଟରୁ ଭୋକ କୁଆଡ଼େ ଉଭେଇ ଯାଇଛି । ହରିନାମ ରସ ପାନ କରି ଯେମିତି ସମସ୍ତଙ୍କ ପେଟ ଏଠି ପୁରି ଯାଉଛି । ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ସମସ୍ତେ ଆଜି ବିଭୋର ହୋଇ ଯାଇଛନ୍ତି । ହରିନାମର ରସରେ ସମସ୍ତେ ବୁଡ଼ି ଯାଇଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୭୦ ପାଖାପାଖି । ପ୍ରାୟେ ସମସ୍ତେ ପାକୁଆ ପାଟି । ଗୋଡ଼ରେ ସମର୍ଥ ବି ନାହିଁ । ହରେରାମ ହରେକୃଷ୍ଣ ମହାମନ୍ତ୍ର କାନରେ ବାଜିଲେ ଯେମତି ପାକୁଆ ପାଟିବି ଗାଇ ଉଠୁଛି ହରିନାମର ମହାମନ୍ତ୍ର । ହାତରେ ଥିବା ଝାଞ୍ଜ, ଗିନି ଓ ଝୁମକା ଯେମିତି ଆପେ ଆପେ ବାଜି ଉଠୁଛି ।

ଅସମର୍ଥ ଗୋଡ଼ ଓ ହାତ ଆଉ ତଳେ ଲାଗୁନି ନାଚି ଉଠୁଛି । କି ଥକାପଣ ଏମାନଙ୍କ ପାଖରେ ଦେଖିବାକୁ ମିଳୁନି । ଘଣ୍ଟେ କି ଦୁଇଘଣ୍ଟା ନୁହେଁ ଚାରି ଚାରି ଘଣ୍ଟା କୃଷ୍ଣ ପ୍ରେମରେ ବୁଡ଼ି ରହୁଛନ୍ତି । ଯାହା ପାଲଟିଛି ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ । କେବଳ ଯେ ବୟସ୍କ କୃଷ୍ଣପ୍ରେମରେ ଡ଼ୁବି ରହିଛନ୍ତି ତା ନୁହେଁ । ଯୁବକବି ପଡ଼ି ଯାଇଛନ୍ତି ପ୍ରଭୁଙ୍କ ପ୍ରେମରେ । କାନ୍ଧରେ ପଡ଼ିଛି ୩୦ କିଲୋ ଓଜନର ମୃଦଙ୍ଗ । ମୃଦଙ୍ଗ ସହ ବିଭିନ୍ନ ଅଙ୍ଗଭଙ୍ଗୀରେ ନାଚୁଛନ୍ତି ଯୁବକ । ହରିନାମରେ ଓଜନିଆ ମୃଦଙ୍ଗ ବୋହିବାର କଷ୍ଟ ଜଣା ପଡ଼ୁନି ଯେପରି । ଗୋଟିଏ ପ୍ରହର ଧରି ନଥକି ବଜାଇ ଚାଲିଛନ୍ତି ମୃଦଙ୍ଗ । ନାମ ସଂକୀର୍ତ୍ତନ ପରିବେଷଣ ପାଇଁ ଏହି ଦଳ କେବେବି ପାରିଶ୍ରମିକ ନେଇ ନଥାନ୍ତି । ସଂକୀର୍ତ୍ତନ ପରିବେଷଣ ପାଇଁ ସୁଦୂର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପୁରୁଷୋତ୍ତମପୁର ଗାଁରୁ ଛୁଟି ଆସିଥିଲେ । ଯାହାକି ପ୍ରାୟ ୫୦ କିଲୋମିଟର ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.