ଟାଙ୍ଗୀ/ଭଞ୍ଜନଗର: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଶ୍ରୀ ଦାରୁବ୍ରହ୍ମ ରଥଯାତ୍ରା କମିଟି ପକ୍ଷରୁ ଶ୍ରୀଶ୍ରୀ ଦାରୁବ୍ରହ୍ମ ମହାପ୍ରଭୁଙ୍କର ଭବ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀଶ୍ରୀ ରାଧା ମାଧବ ଜୀଉଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଅବସରରେ ପଞ୍ଚ କୁଣ୍ଡଳୀ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି । ପଞ୍ଚ କୁଣ୍ଡଳୀ ମହାଯଜ୍ଞ ସହ ଭବ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀଶ୍ରୀ ରାଧା ମାଧବ ଜୀଉଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି ।
ଏଥିରେ ପୁରୀ ଶ୍ରୀ ମନ୍ଦିରର ପ୍ରଭୁ ଜଗନ୍ନାଥ, ଭ୍ରାତା ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ ମହାପାତ୍ର, ପୁରୀ ପୂର୍ବତନ ବିଧାୟକ ତଥା ମୁକ୍ତି ମଣ୍ଡପ ପଣ୍ଡିତ ଜୟନ୍ତି ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ବଙ୍ଗାଳି ସମ୍ପ୍ରଦାୟର ନାମ ସଙ୍କୀର୍ତ୍ତନ ମଣ୍ଡଳୀ ଢୋଲ, କାହାଳ, ଘଣ୍ଠ, ମହୁରୀ, ଶଙ୍ଖ ବଜାଇ ଏକ ବିରାଟ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳକୁ ପାଛୋଟି ନେଇଥିଲେ ।
ଏହା ପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ କାର୍ଯ୍ୟକ୍ରମର ଆବାହକ ଡକ୍ଟର ସଞ୍ଜୟ ପଟ୍ଟନାୟକ ତତ୍ତ୍ୱାବଧାନରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଆଖପାଖ ପ୍ରାୟ ୨୦ ଟିରୁ ଅଧିକ ପଞ୍ଚାୟତ ହଜାର ହଜାର ଜନସାଧାରଣଙ୍କ ଗହଳି ଦେଖିବାକୁ ମିଳୁଛି । ଭୂଷଣ୍ଡପୁର ଟାଙ୍ଗୀ ପୋଲିସ୍ ଶାନ୍ତି ଶୃଙ୍ଖଳା ବଜାୟ ରଖିଛି ।
ଏପଟେ ଉଦଯାପିତ ହୋଇଯାଇଛି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆୟୋଜିତ ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ । ସାତଦିନ ଧରି ଆୟୋଜିତ ଏହି ମହାଯଜ୍ଞର ବିଭିନ୍ନ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଦୁଇଶହରୁ ଅଡ଼ିକ ସାଧୁସନ୍ଥ ଏଥିରେ ଯୋଗ ଦେଇଥିଲେ । ବିଭିନ୍ନ ଦିନରେ ଘୃତ-ଯଜ୍ଞ, ନାମ-ଯଜ୍ଞ, ଗୋ-ଯଜ୍ଞ, ଜ୍ଞାନ-ଯଜ୍ଞ ଏବଂ ଅନ୍ନ-ଯଜ୍ଞର ଆୟୋଜନ ହୋଇଥିଲା ।
ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସ୍ବେଚ୍ଛାସେବୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ । ଉଦଯାପନୀ ଦିନରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା । ପୋଲିସ୍ ପକ୍ଷରୁ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତ୍ଵ ଦିଆଯାଇଥିବା ବେଳେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଞ୍ଚ କୁଣ୍ଡଳୀ ମହାଯଜ୍ଞ ସହ ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞରେ ସାଧୁସନ୍ଥଙ୍କ ସମେତ ଅନେକ ଜନ ସମାଗମ ହେବା ସହସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।