ଆରମ୍ଭ ହେଲା ପୌଷ ମାସ : ପ୍ରତିଦିନ କରନ୍ତୁ ସୂର୍ଯ୍ୟଙ୍କ ଉପାସନା, ମିଳିବ ଅନେକ ଶୁଭଫଳ

ହିନ୍ଦୁ ପାଞ୍ଜି ଅନୁସାରେ ବର୍ଷର ୧୦ମ ମାସକୁ ପୌଷ ମାସ କୁହାଯାଏ । ଚଳିତ ବର୍ଷ ଏହା ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ରହିବ । ତେବେ ପୌଷ ମାସର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ମାସରେ ସୂର୍ଯ୍ୟଙ୍କ ବିଶେଷ ପ୍ରଭାବ ରହିଥାଏ । ବିଶ୍ୱାସ କରାଯାଏ ଯେ, ଏହି ମାସରେ ସୂର୍ଯ୍ୟଙ୍କ ଏଗାର ହଜାର କିରଣ ବ୍ୟକ୍ତିଙ୍କୁ ଶକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇଥାଏ । ପୌଷ ମାସରେ ନିୟମିତ ଉପାସନା କରିବା ଦ୍ୱାରା ବର୍ଷସାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୌଷ ମାସର ମହତ୍ତ୍ୱ ବିଷୟରେ…
ପୌଷ ମାସର ମହତ୍ତ୍ୱ:
ପୌଷ ମାସର ମଧ୍ୟରାତ୍ରିରେ ଉପାସନା କରିବା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ଶୀତ ବସ୍ତ୍ର କିମ୍ବା ନୂଆ ବସ୍ତ୍ର ଦାନ ଅତ୍ୟନ୍ତ ଉତ୍ତମ । ସେହିପରି ନାଲି ଏବଂ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିସହ ଘରେ କପୁର୍ରର ସୁଗନ୍ଧ ସ୍ୱାସ୍ଥ୍ୟକୁ ଉତ୍ତମ ରଖିବାରେ ସାହାଯ୍ୟ କରିଥାଏ ।

ପୌଷ ମାସରେ ସୂର୍ଯ୍ୟଦେବଙ୍କ ଉପାସନା: ପୌଷ ମାସରେ ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ଜଳରେ ସିନ୍ଦୁର ଏବଂ ନାଲି ରଙ୍ଗର ଫୁଲ ମିଶାନ୍ତୁ । ଏହାପରେ ସୂର୍ଯ୍ୟଙ୍କ ମନ୍ତ୍ର ‘ଓଁ ଆଦିତ୍ୟାୟ ନମଃ’ ଜପ କରନ୍ତୁ । ଏହି ମାସରେ ଯଥା ସମ୍ଭବ ଲୁଣର କମ୍‌ ସେବନ କରନ୍ତୁ ।

ପୌଷ ମାସରେ ଖାଦ୍ୟର ଧ୍ୟାନ: ପୌଷ ମାସରେ ଖାଦ୍ୟରେ ବାଦାମ ବ୍ୟବହାର କରନ୍ତୁ । ଚିନି ପରିବର୍ତ୍ତେ ଗୁଡ଼ ସେବନ କରନ୍ତୁ । ଜୁଆଣି, ଲବଙ୍ଗ ଏବଂ ଅଦାର ସେବନ ଏହି ମାସରେ ଲାଭକାରୀ ହୋଇଥାଏ । ସେହିଭଳି ଏହି ମାସରେ ଥଣ୍ଡା ପାଣିର ପ୍ରୟୋଗ ଏବଂ ଅତ୍ୟଧିକ ଖାଦ୍ୟ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ମାସରେ ଅଧିକ ତେଲ ଏବଂ ଘିଅର ପ୍ରୟୋଗ ମଧ୍ୟ ଉତ୍ତମ ହୋଇନଥାଏ ।