ବଲାଙ୍ଗିର: ମାଆ ଆସିବେ । ମାଆଙ୍କୁ ସ୍ଵାଗତ କରିବା ପାଇଁ ଚାଲିଛି ସବୁଠି ପ୍ରସ୍ତୁତି । ଏନେଇ ବଲାଙ୍ଗିର ମାଟିରେ କେତେ ସାଜସଜ୍ଜା । ପୂଜା ମଣ୍ଡପରେ ମୂର୍ତ୍ତି କାରିଗର ଦିନରାତି ଏକକରି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ବ୍ୟସ୍ତ। ଆଉ ମାଆଙ୍କ ଆଗମନକୁ ଦେଖି ଧବଳ ବର୍ଣ୍ଣା ଧରିତ୍ରୀ । ନଦୀପଠାରେ ହସୁଛି କାଶତଣ୍ଡୀ । ସବୁଜ ବିଲରେ ଦୋଳି ଖେଳୁଛି କାଶତଣ୍ଡୀ । ଏସବୁ ସୂଚାଇ ଦେଉଛି ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନକୁ ।
ଆଉ କିଛି ଦିନ ପରେ ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା ଏଥିପାଇଁ ବଲାଙ୍ଗିରରେ ଚାଲିଛି ସ୍ଵତନ୍ତ୍ର ପ୍ରସ୍ତୁତି । ଏହା ଯନ୍ତ୍ରତନ୍ତ୍ରର ମାଟି ହୋଇଥିବାରୁ ଦୁର୍ଗା ପୂଜାର ରହିଛି ସ୍ଵତନ୍ତ୍ରତା । ବିଭିନ୍ନ ପୂଜା ମଣ୍ଡପରେ ନବଦିନାତ୍ମକ ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ଆଉ ପ୍ରଶାସନ ବି ମାଆଙ୍କ ଆଗମନକୁ ନେଇ ବିଭିନ୍ନ ପୂଜା କମିଟି ସହିତ ଆଲୋଚନା କରିଛନ୍ତି ।
ବଲାଙ୍ଗିରରେ ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ପାଲନ କରିବାକୁ କେତେ ସଜବାଜ। ତେବେ ନବରାତ୍ରି କିମ୍ବା ଦୁର୍ଗା ପୂଜାକୁ ଲୋକମାନେ ଖୁବ୍ ଜାକ ଜମକରେ ପାଳନ କରିଥାନ୍ତି । ଭକ୍ତି ଓ ଉତ୍ସାହର ସହ ମାଆଙ୍କୁ ଧରାପୃଷ୍ଟକୁ ସ୍ୱାଗତ କରି ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ନବରାତ୍ରି ୩ ଅକ୍ଟୋବର ଗୁରୁବାର ଠାରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ଶନିବାରରେ ଶେଷ ହେବ ।
ହିନ୍ଦୁ ଧର୍ମରେ ଶକ୍ତି ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଏ । କଥାରେ ଅଛି ବାର ମାସରେ ତେର ପର୍ବ । ସେଥି ମଧ୍ୟରୁ ଦୁର୍ଗା ପୂଜା ହେଉଛି ଅନ୍ୟତମ । ଭକ୍ତମାନେ ଦୁର୍ଗା ପୂଜାରେ ମା’ଙ୍କର ୯ଟି ରୂପକୁ ୯ଦିନ ଧରି ପୂଜା କରିଥାନ୍ତି । ତେବେ ମାଆଙ୍କ ଆସୁଛନ୍ତି ବୋଲି ଏବେ କାଶତାଣ୍ଡୀ ଫୁଲ ତାର ଉପସ୍ଥିତି ଜାହିର କରିସାରିଲାଣି । ବଲାଙ୍ଗିର ପାଟଣା ଗଡ ରାସ୍ତା ହେଉ କି ସୁକତେଲ ନଇଁର ନଦୀପଠା ଏବେ ସବୁଠି କାଶତଣ୍ଡୀର ଝଲକ । ଧଳା ରଙ୍ଗର ପାଟ ଶାଢୀ ରେ ସଜାଇ ହୋଇଛି ଧରଣୀ ରାଣୀ । ପାର୍ବଣ ପାର୍ବଣ ବାସୁଛି ଏହି କାଶତଣ୍ଡୀ । ଏହି ଧବଳ ବର୍ଣ୍ଣା ଧରିତ୍ରୀକୁ ଦେଖି ବିମୋହିତ କବି ଓ ଲେଖକ। ଏପରି ପାର୍ବଣ ପରିବେଶରେ କବି କବୟତ୍ରୀ ଗାଇ ଚାଲିଛନ୍ତି କବିତା ।