ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ସହିତ ଠାକୁରଙ୍କ ବିବାହ ଉତ୍ସବରେ କମ୍ପିଲା ଗାଁ, ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ
ପିପିଲି: ଚାଲିଛି ବେଦ ମନ୍ତ୍ର ଉଚ୍ଚାରଣ । ଯୋଡ଼ି ମହୁରୀରେ ଫାଟି ପଡ଼ୁଛି ଉତ୍ସବ ସ୍ଥଳ । ସମବେତ ହୋଇଛନ୍ତି ଗ୍ରାମବାସୀ । ହରିବୋଲ ହୁଳହୁଳିରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଅବସର ହେଉଛି ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ସାଙ୍ଗକୁ ରୁକ୍ମଣୀଙ୍କ ସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ । ଗ୍ରାମର ପ୍ରତିବର୍ଷ ଦୁଇ ଦୁଇ ଜଣ ଦମ୍ପତି ଠାକୁରଙ୍କ ପିତା ମାତା ସାଜିଥାନ୍ତି । ଜଣେ ବରଙ୍କ ପିତା ମାତା ତ ଆଉ ଜଣେ କନ୍ୟାର ପିତାମାତା ସାଜି ବିବାହ ଉତ୍ସବରେ ସାମିଲ ହୋଇଥାନ୍ତି । କନ୍ୟାଘର ପକ୍ଷରୁ ବର ପକ୍ଷଙ୍କ ପାଇଁ ଭୋଜିଭାତର ମଧ୍ୟ ବେଶ ବ୍ୟବସ୍ଥା କରାଯାଇଥାଏ ।
ବିବାହ ପାଇଁ ସକାଳର ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ପରେ । ସେଠାରେ ବୈଦିକ୍ ୠତୀରେ ବିବାହ କାଯ୍ୟକ୍ରମ କରାଯାଇଥିଲା । ଗ୍ରାମର ମହିଳାମାନଙ୍କ ସହିତ ଯୁବତୀମାନେ ନାଚଗୀତ ରେ ମସୁଗୁଲ ହୋଇ ଶୋଭାଯାତ୍ରାରେ କନ୍ୟାଘର ନିକଟରେ ପହଁଚିଥିଲେ । ହାତ ଗଣ୍ଠି ପକାଇବା ଠାରୁ ଆରମ୍ଭ କରି ହାତ ଗଣ୍ଠି ଫିଟାଇବା, ମଥାରେ ମକୁଟ ପିନ୍ଧିବା, ବର କନ୍ୟାକୁ ଗଇଁଠାଳ ପକାଇବା ସହ ଶେଷରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା ।
ପ୍ରତି ବର୍ଷ ପରି ଚଳିତ ବର୍ଷ ଗ୍ରାମରେ ନଅ ଦିନ ଧରି ଭାଗବତ ପରାୟଣ ଚାଲୁଥିବାବେଳେ ଭାଗବତ ମନ୍ଦିର ନିକଟରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ସାଙ୍ଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ଭାଗବତ ପାଠ କରଯାଇଥିଲା । ତେବେ ଶେଷ ଦିନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ମା’ ରୁକ୍ମଣୀଙ୍କ ସହିତ ବିବାହ ଉତ୍ସବ କରାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମରେ ଭାଇଚାରା ସୃଷ୍ଟି କରିବା ସହିତ ଏକତା ପ୍ରତିଷ୍ଠା କରିବା ଏହି ବିବାହ ଉତ୍ସବର ଆୟୋଜନ କରାଯାଉଥିବାର ଗ୍ରାମବାସୀ କହିଛନ୍ତି ।