ପାଳିତ ହେଲା ସାଇବାବାଙ୍କ ୧୧ତମ ବାର୍ଷିକ ଉତ୍ସବ, ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର: ଏହି ପୃଥିବୀରେ ଶିରିଡି ସାଇବାବାଙ୍କ କୃପା ଅନେକ । ବାବାଙ୍କର ଅଲୌକିକ ଶକ୍ତି ପାଇଁ ସେ ନିଜ ଭକ୍ତଙ୍କ ପାଖରେ ବହୁତ ପ୍ରିୟ । କୁହାଯାଏ ଯେ ବାବାଙ୍କୁ ଯିଏ ଅରାଧନା କରି ଯାହା ମନାସି ଥାଏ ବାବା ତାଙ୍କର ଭକ୍ତଙ୍କୁ ତାହା ଦେଇଥାନ୍ତି । କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବାବାଙ୍କର ଅନେକ ଭକ୍ତ ରହିଛନ୍ତି । ସାଇବାବାଙ୍କୁ ଶୁଦ୍ଧ ଚିତ୍ତରେ ଆରାଧନା କଲେ ସେ ନିଶ୍ଚିନ୍ତ ମନସ୍କାମନା ପୂରଣ କରିଥାନ୍ତି । ଅନେକ ସମୟରେ ବାବାଙ୍କର ଅନେକ ଚମତ୍କାରିତା ମଧ୍ୟ ଦେଖିବାକୁ ମିଳିଥାଏ ।
ପୌରାଣିକ ମାନ୍ୟତା ଅନୁସାରେ ଶିରିଡ଼ିର ସାଇବାବାଙ୍କୁ ଯିଏ ମନ ହୃଦୟରୁ ପୂଜା କରିଥାଏ, ବାବା ତା’ର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି । ଜଗତସିଂହପୁର ଜିଲ୍ଲା ଗୋପାଳସାଗର ସ୍ଥିତ ସିରିଡ଼ି ସାଇବାବାଙ୍କ ମନ୍ଦିରରେ ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅତି ଧୁମଧାମରେ ୬ ଦିନ ଧରି ଚାଲିଥିଲା । ଅନ୍ତିମ ଦିବସରେ ଶ୍ରୀ ସାଇନାଥ ମହାରାଜାଙ୍କର ମହାଅଭିଷେକ ସ୍ନାନ, ଶ୍ରୀ ସାଇ ସତ୍ୟନାରାୟଣ ପୂଜା, ଶାନ୍ତିହୋମ ଓ ଗୁରୁପୂଜନ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି ।
ଏନେଇ ସାଇନାଥଙ୍କ ଦର୍ଶନପାଇଁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ଏହି ଅବସରରେ ଭଜନ ସମାରୋହ, ପ୍ରସାଦ ସେବନ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଇ ପରିବାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିନରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇ ବାବାଙ୍କର ଆଶ୍ରିବାଦ ନେବା ସହିତ ଭଜନ ସନ୍ଧ୍ୟା ଓ ପ୍ରସାଦସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏନେଇ ଏଠାରେ ସୃଷ୍ଟି ହୋଈଥିଲା ଖୁବ ଆଧ୍ୟାତ୍ମିକ ପରିବେଶ ।