ବଡ଼ମଙ୍ଗଳପୁର ଗ୍ରାମରେ ସପ୍ତସତୀ ଚଣ୍ଡୀ ମହାଯଜ୍ଞ ଉତ୍ସବ, ଚଳଚଞ୍ଚଳ ମା’ଙ୍କ ପୀଠ

ଯାଜପୁର: ଯାଜପୁର ଚୋରମୁହାଁ ପଂଚାୟତ ଗ୍ରାମର ଗ୍ରାମ ଦେବତୀ ହେଉଛନ୍ତି ମା କରଞ୍ଜେଇ । ଏନେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତସତୀ ଚଣ୍ଡି ମହାଯଜ୍ଞ ଉତ୍ସବ ପାଳନ କରାଯାଇଛି । ଏହା ସହ ଗ୍ରାମ ପରିକ୍ରମା କରାଯାଇଛି । ଦୀର୍ଘ ବର୍ଷ ଧରି ଏହି ମନ୍ଦିରରେ ମାଙ୍କ ପୂଜା ପାଳନ କରାଯାଉଛି । ମାଙ୍କୁ ପୂଜା କଲେ ଗାଁରେ ଶାନ୍ତି ପ୍ରତିଷ୍ଠା ହେବା ସହ ଭକ୍ତମାନଙ୍କର ମନସ୍କାମନା ପୁର୍ଣ୍ଣ ହୋଇଥାଏ ।

ତେବେ ଯାଜପୁର ବ୍ଲକ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ପଞ୍ଚାୟତ ବଡ ମଙ୍ଗଳପୁର ଗ୍ରାମର ଗ୍ରାମଦେବତୀ ମା କରଞ୍ଜେଇଙ୍କ ମନ୍ଦିର ପ୍ରାଙ୍ଗଣରେ ସପ୍ତସତୀ ଚଣ୍ଡି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । କଳସ ଯାତ୍ରା ସମୟରେ ଗ୍ରାମବାସୀ ମାନେ ରାସ୍ତାରେ ନୂତନ ଶାଢ଼ୀ ବିଛାଇ ଶୋଭାଯାତ୍ରାକୁ ସ୍ୱାଗତ କରିବା ବେଶ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା ।

ପରେ ଘଟ ସ୍ଥାପନ କରାଯାଇ ସୂର୍ଯ୍ୟ ପୂଜା, ଗୋ ପୂଜା, ଯଜ୍ଞ ଆରମ୍ଭ କରାଯାଇଥିଲା। ପଣ୍ଡିତ ବିଜୟ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯଜ୍ଞ କାର୍ଯ୍ୟରେ ବ୍ରାହ୍ମଣ, ପଣ୍ଡିତ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ମା’ଙ୍କର ମହାସ୍ନାନ କରାଯିବା ସହ ଷୋଡ଼ଷ ଉପଚାରରେ ପୂଜା କରାଯାଇଥିଲା । ଏହି ସମୟରେ ମାଙ୍କୁ ଦର୍ଶନ କରିବା ପାଇଁ ବଡମଙ୍ଗଳପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ପରେ ଯଥା ରୀତିନୀତି ଅନୁଯାୟୀ ମାଙ୍କର ପୂଜାର୍ଚ୍ଚନା କରାଯିବା ସହ ଯଜ୍ଞ କାର୍ଯ୍ୟ ସମାପନ ସହ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ମଙ୍ଗଳପୁର ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ । ମାଙ୍କୁ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରରୁ ଛୁଟି ଆସନ୍ତି ଭକ୍ତ । ପ୍ରତିବର୍ଷ ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ । ଗାଁର ଶାନ୍ତି ପାଇଁ ମାଙ୍କ ପାଖରେ ପୂଜା କରାଯାଏ । ରୀତି ନୀତି ଅନୁସାରେ ମାଙ୍କ ପୁଜାକାର୍ଯ୍ୟ ସମ୍ପନ୍ନ ହେଲା ପୁଣି ଏହି ଅପୁର୍ବ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତଙ୍କ ଅପେକ୍ଷା ।