ବିଭିନ୍ନ ପୀଠରେ ଆରମ୍ଭ ହୋଇସାରିଛି ଷୋଡଶ ଉପଚାରରେ ଦେବୀ ଉପାସନା

ସୁବର୍ଣ୍ଣପୁର: ଆସିଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତ ଜନନୀ ମାଆ । ବିଭିନ୍ନ ଦେବୀ ପୀଠରେ ଷୋଡଶ ଉପଚାରରେ ଆରମ୍ଭ ହୋଇସାରିଛି ଦେବୀ ଉପାସନା । ଆଉ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଷୋଡଶ ଉପଚାର ଆରମ୍ଭ ହୋଇଛି । ତେଣୁ ଚଳଚଞ୍ଚଳ ହୋଇଉଠିଛି ଶକ୍ତି ପୀଠ । ମୂଳାଷ୍ଟମୀ ବା ପୁଅଜୁଉଁନ୍ତିଆରୁ ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗାଁରେ ଥିବା ଦେବୀ ପୀଠମାନଙ୍କରେ ରୀତି ନୀତିରେ ପୂଜା ଆରମ୍ଭ ହୋଇଛି ।

ଷୋହଳ ଭରଣୀ ବାଦ୍ୟସହ ଷୋଡଶ ଉପଚାରରେ ମାଆଙ୍କ ପୂଜା ଚାଲିଛି । ଦହି,ଦହନା ଓ ଅରୁଆ ଚାଉଳରେ ଯନ୍ତ୍ର,ମନ୍ତ୍ର ସହ ପୂଜକ ବି ନିଷ୍ଠା ଓ କାଷ୍ଟାର ସହ ମାଆଙ୍କ ପୂଜା ଆରମ୍ଭ କରିଛନ୍ତି । ଆଉ ଏବେ ପାର୍ବଣରେ ମୁଖରିତ ହେଉଛି ପୁରା ଜିଲ୍ଲା । ପ୍ରତି ଦେବୀ ମନ୍ଦିରରେ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି।

ଦେବୀ ଉପାସନାର ପୀଠ ସୁବର୍ଣ୍ଣପୁର । ଜିଲ୍ଲାର ଗାଁ ଗାଁରେ ଦେବୀ ପୀଠ ରହିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ରହିଛି ଅଷ୍ଟଚଣ୍ଡୀଙ୍କ ପୀଠ । ପାର୍ବଣ ମାସରେ ଅଷ୍ଟଚଣ୍ଡୀ ପୀଠରେ ରୀତି ନୀତିରେ ପୂଜା ଆରମ୍ଭ ହୋଇଥିବାବେଳେ ସେପଟେ ସୁବର୍ଣ୍ଣପୁର ପ୍ରସିଦ୍ଧ ମହାବଳୀ ଯାତ୍ରାର ମଧ୍ୟ ଶୁଭାରମ୍ଭ ହୋଇଛି । ପ୍ରସିଦ୍ଧ ମହାବଳୀ ଯାତ୍ରା ପାଇଁ ଖଣ୍ଡାଧୁଆ ପର୍ବ ଆରମ୍ଭ ହୋଇଯାଇଛି।

ଆସନ୍ତା ୨ତାରିଖରୁ ଏଥିପାଇଁ ଇଷ୍ଟଦେବୀ ମାଆ ସୁରେଶ୍ଵରୀ ମନ୍ଦିରରୁ ବାଉତୀ ଛତ୍ର ବାହାରିବ । ପରେ ପରେ ବିଭିନ୍ନ ବଳିଯାତ୍ରା ସହ ଶେଷରେ ମହାବଳୀ ଏବଂ ପୂର୍ଣ୍ଣମୀରେ ପୂର୍ଣ୍ଣମୀ ବଳୀ ସହ ଶେଷ ହେବ ବଳିଯାତ୍ରା । ତେବେ କାହିଁ କେଉଁ କାଳରୁ ଚାଲିଆସିଥିବା ଏହି ଦେବୀ ଉପାସନା ପରମ୍ପରା ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ମଧ୍ୟ ରିତି ନିତିରେ ଆରମ୍ଭ ହୋଇଛି । ଏଣୁ ବର୍ଷକର ଅପେକ୍ଷା ପରେ ଏବେ ଶ୍ରଦ୍ଧାଳୁମାନେ ମଧ୍ୟ ମାଆଙ୍କ ଦର୍ଶନ ଲାଭ କରିବାର ସୁଯୋଗ ନେଉଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like