ଶିବ ପାର୍ବତୀଙ୍କ ଶୁଭ ବିବାହ

ପଡ଼ିଲା ହାତଗଣ୍ଠି, ବୈଦିକ ରୀତି ନୀତିରେ ହେଲା ବାହାଘର, ମାତା ପାର୍ବତୀଙ୍କ ହାତରୁ ପାଣି ଗ୍ରହଣ କଲେ ଦେବଦେବ ମହାଦେବ

ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ ରାଜ ହିମାଳୟଙ୍କ ଘରେ କନ୍ୟା ସନ୍ତାନ ରୂପେ ଜନ୍ମ ନେଇଥିଲେ। ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ । ସମସ୍ତ ଶିବମନ୍ଦିରରେ ଏହାକୁ ବଡ଼ ଧୂମଧାମରେ ପାଳନ କରାଯାଏ।

କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର .. ଉଭୟଙ୍କର ପରିବାର ବର୍ଗ ବିବାହକାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍​ଧାମ୍​ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିନୀତିରେ ବିବାହ କରାଯାଏ ।

ଏନେଇ ପଶ୍ଚିମ ଓଡ଼ିଶାରେ ମଧ୍ୟ ଆନନ୍ଦ ଉଲ୍ଲାସରେ ଶିବ ପାର୍ବତୀଙ୍କ ଶୁଭ ବିବାହ ପାଳିତ ହୋଇଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଯାତ୍ରା ହେଉଛି ଶୀତଳଷଷ୍ଠୀ ପର୍ବ । ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ । ଏହା ସମ୍ବଲପୁର ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପର୍ବ ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଥାଏ।। ଚଳିତ ବର୍ଷ ମଧ୍ୟ ଏହିପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଉଛି। ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଯାଇଛି ଶିବ ପାର୍ବତୀଙ୍କ ଶୁଭ ବିବାହ । ମଧ୍ୟରାତ୍ରୀ ର ଚତୁର୍ଥ ପ୍ରହରରେ ପଡିଛି ହାତଗଣ୍ଠି । ତେବେ ସୁରକ୍ଷା ପାଇଁ 40 ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ।

ଗତ ବିଳମ୍ବିତ ରାତିରେ ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ । ପଟୁଆର ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । ଦେବ ଦାନବ ଠାରୁ ଆରମ୍ଭ କରି ନର କିନ୍ନର ପର୍ଯ୍ଯନ୍ତ ସମସ୍ତେ ସାମିଲ ହୋଇଥିଲେ ବରଯାତ୍ରୀ ଦଳରେ ।

କନ୍ଯା ଘରେ ପହଂଚିବା ପରେ ରୀତି ନୀତି ଓ ପରମ୍ପରା ଅନୁଯାୟୀ ବିବାହ ଅନୁଷ୍ଠିତ ହୋଇଥିଲା। । ଏହି ବିବାହ ସମ୍ପୂର୍ଣ ବୈଦିକ ରୀତି ରେ ଅନୁଷ୍ଠିତ ହୋଇଥିଲା । ରାତ୍ରୀ ର ଚତୁର୍ଥ ପ୍ରହର ରେ ହାତ ଗଣ୍ଠି ପଡିଥିଲା ଆଉ ଦେବୀ ପାର୍ବତୀଙ୍କ ହାତରୁ ପାଣିଗ୍ରହଣ କରିଥିଲେ ଦେବ ଦେବ ମହାଦେବ । ଦିନ ତମାମ ଦେବ ଦେବ ମହାଦେବ ଶଶୁର ଘରେ ବିଶ୍ରାମ କରିବା ପରେ ବିଳମ୍ବିତ ରାତିରେ ପତ୍ନୀ ଙ୍କୁ ଧରି ନଗର ପରିକ୍ରମା କରିବେ । ନବବିବାହିତ ଦେବ ଦମ୍ପତିଙ୍କ ଯୁଗଳମୂର୍ତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। । ଦୀର୍ଘ ୨୦ ଘଣ୍ଟା ଧରି ଚାଲିଥିବା ଶୀତଳଷଷ୍ଠୀ ଯାତ୍ରାର ମୁଖ୍ଯ ଆକର୍ଷଣ ଦେବଦମ୍ପତିଙ୍କ ନଗର ପରିକ୍ରମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.