ଚାଲିଛି ଷୋଡଶ ଉପଚାର ପୂଜା: ଦୁର୍ଲଭ ବେଶ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ

କଟକ: ରୁପାର  ସହର କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡିର ମଧ୍ୟ ଭାଗରେ ଗଢି ଉଠିଥିବା ଏହି ସହରଟି ବାଉନ ବଜାର ଆଉ ତେପନ ଗଳିରେ ଛନ୍ଦା ଛନ୍ଦି ହୋଇ ରହିଛି । ହିନ୍ଦୁ, ମୁସଲିମ୍, ଶିଖ୍, ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରାରେ ବାନ୍ଧି ରଖିଛି ଏ ସହର । ସହରରେ ରହିଛି ଅନେକ ସଂସ୍କୃତି , ପରମ୍ପରା ଓ ଐତିହ୍ୟ । ସହର ଭିତରେ କୋଣ ଅନୁକୋଣରେ ରହିଛି ବହୁ ଶକ୍ତିପୀଠ । ମାଆ କଟକ ଚଣ୍ଡୀ ହେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ । ଏହା ସହ ସହରେ ରହିଛନ୍ତି ମାଆ ଗଡଚଣ୍ଡୀ, ଚାଉଳିଆଗଞ୍ଜରେ ମାଆ ବନଦୁର୍ଗା, ଝାଞ୍ଜିରିମଙ୍ଗଳାରେ ମାଆ ଝାଞ୍ଜିରିମଙ୍ଗଳା ସମେତ ଅନେକ ଶକ୍ତିପୀଠ ।

ବାରବାଟି ଦୁର୍ଗ ଭିତରେ ପୂଜା ପାଉଛନ୍ତି ମାଆ ଗଡଚଣ୍ଡୀ । ଯଦି ମାଆ ଗଡଚଣ୍ଡୀଙ୍କ ଇତିହାସ କଥା କହିବା ତାହାଲେ ପୁରାତନ କାଳରେ ବାରବାଟୀ ଦୁର୍ଗ ରାଜା ମୁକୁନ୍ଦଦେବଙ୍କର ଗଡ ଥିଲା । ସେ ନିଜ ଗଡକୁ ସୁରକ୍ଷା ଦେବା ପାଇଁ ଏକ ଖାଇ ତିଆରି କରିଥିଲେ । ସେଠାରେ ମାଆ ଶକ୍ତିମୟୀ ଚଣ୍ଡୀ ଦେବୀ ରାଜାଙ୍କୁ ସୁରକ୍ଷା ଦେଉଥିଲେ । ତେଣୁ ମାଆ ଗଣ୍ଡଚଣ୍ଡୀ ଭାବେ ଖ୍ୟାତ । ତେବେ ମାଆ ଗଡଚଣ୍ଡୀଙ୍କର ଆବିର୍ଭାବରେ ଅନେକ କିମ୍ବଦନ୍ତୀ ରହିଛି । ଲୋକକଥା ରହିଛି, ମାଆ ଗଡଚଣ୍ଡୀଙ୍କ ମନ୍ଦିର ପ୍ରାୟ ୫୦୦ ରୁ ଅଧିକ ବର୍ଷ ତଳୁ ରହିଥିଲା । ଉକ୍ତ ସ୍ଥାନ ବଣ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିବାବେଳେ ଏହି ମନ୍ଦିର ମାଟି ତଳେ ପୋତି ହୋଇଯାଇଥିଲା ।

ପରବର୍ତ୍ତୀ ସମୟରେ ମୁକୁନ୍ଦଦେବଙ୍କ ଦ୍ୱାରା ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ହେଲେ ୧୫୬୮ରେ କଳାପାହାଡ଼ ଓଡିଶା ଆକ୍ରମଣ କରିଥିଲେ । କଳାପାହାଡ଼ ଓଡ଼ିଶାର ମଠ, ମନ୍ଦିର ଉପରେ ଆକ୍ରମଣ କରିଥିବାବେଳେ ମାଆ ଗଡ଼ଚଣ୍ଡୀଙ୍କ ମନ୍ଦିର ମଧ୍ୟ ଏଥିରୁ ବାଦ ପଡ଼ି ନ ଥିଲା । ମାଆ ଗଡଚଣ୍ଡୀଙ୍କ ପାଖରେ ପ୍ରତ୍ୟେକ ନିତ୍ୟ ପଞ୍ଚ ନୈବିଦ୍ୟ ପୂଜା କରାଯାଇଥାଏ । ଏଠାରେ ଆମିଷ ହୋଇ ନ ଥାଏ । ଷୋଳପୂଜା ସମୟରେ ମାଆଙ୍କ ପାଖରେ ପାଣି କଖାରୁ ବଳି ଦିଆଯାଇଥାଏ ।

ମାଆଙ୍କ ପୀଠରେ ମହା ଆଡମ୍ବରରେ ଓ ରୀତିନୀତି ଆନୁସାରେ ପାଳନ ହେଉଛି ପାର୍ବଣୀୟ ଷୋଡଶ ଉପଚାର ପୂଜା। ଏହି ସମୟରେ ମା ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ସକାଳୁ ମଙ୍ଗଳ ଆଳତୀ, ମାର୍ଜନା, ଅବକାଶ, ଚଣ୍ଡୀ ପାଠ ହୋମ ଯଜ୍ଞ ,ମନ୍ତ୍ର , ବେଦ ଧ୍ୱନି ରେ ପ୍ରକମ୍ପିତ ହେଉଛି ମାଆଙ୍କ ମନ୍ଦିର । ଏହି ଅବସରରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ମାଆଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି ମାଆଙ୍କ ଷୋଡଶ ଉପଚାର ପୂଜା ସମୟରେ ମାଆ ଗଡ଼ଚଣ୍ଡୀଙ୍କ ଦର୍ଶନ କରି ମାନସିକ କଲେ ତାହା ପୂରଣ ହୋଇଥାଏ।ଏଥିଲାଗି ରାଜ୍ୟ ର କୋଣ ଅନୁକୋଣ ସହ ରାଜ୍ୟ ବାହାରୁ ବହୁ ଭକ୍ତ ଆସି ମାଆଙ୍କୁ ଦର୍ଶନ କରିବା ସହ ମାଆଙ୍କ ଆଶୀର୍ବାଦ ଓ କରୁଣା ଲାଭ କରିଥାନ୍ତି।

ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତାଙ୍କର ଆଶିର୍ବାଦ ସବୁବେଳେ ରହିଛି । ମାଆ ଗଡଚଣ୍ଡୀ ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି । ବାତ୍ୟା, ବନ୍ୟା ଓ ମରୁଡି ସମୟରେ ସହରବାସୀଙ୍କ ଉପରେ ମାଆ କୃପା ଦୃଷ୍ଟି ଦେଇଥାନ୍ତି । ପ୍ରତ୍ୟକ୍ଷ ଭାବେ ମାଆ ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି । ମାଆଙ୍କ ପାଖରେ ଯିଏ ଶରଣାପନ୍ନ ହୋଇଛି ତାଙ୍କ ମନସ୍କାମନା ପୂରଣ ହୋଇଛି । ନିଷ୍ଠାର ସହିତ ମାଆଙ୍କର ପୂଜାର୍ଚ୍ଚନା କଲେ ନିଶ୍ଚିତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମାଆଙ୍କର ଏବେ ଚାଲିଛି ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା । ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ ।  ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଦିନ ଶହ ଶହ ଭକ୍ତଙ୍କ ଭିଡ଼ ଜମୁଛି ।

 

You might also like