ଚାଲିଛି ମାଆ ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା, ସ୍ୱତନ୍ତ୍ର ପୁରୋହିତଙ୍କ ଦ୍ୱାରା କରାଯାଉଛି ଚଣ୍ଡୀପାଠ

କାକଟପୁର: ଶରତର ଆଗମନରେ ଉତ୍ସବ ମୁଖର ହୋଇଉଠିଛି ଧରାପୃଷ୍ଠ । ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୂର୍ଗା । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାନ ପ୍ରତାପୀ ମହିଷାସୁର ପୃଥିବୀ ପୃଷ୍ଠରେ ଆତଙ୍କ ରଚାଇ ଦେବତା ,ମାନବଙ୍କ ଉପରେ ଅତ୍ୟାଚାର କରୁଥିବା ସମୟରେ, ଏହି ଦାନବ ଠାରୁ ପୃଥିବୀକୁ ଆଶ୍ଵସ୍ତ ଦେବା ପାଇଁ ଦେବତା ମାନଙ୍କ ଆକୁଳ ପ୍ରାର୍ଥନାରେ ଜଗତଜନନୀ ମାଆ ଦୂର୍ଗାଙ୍କ ଆବିର୍ଭାବ ହୋଇଥିଲା । ମାଆ ମହାମାୟୀ ଶକ୍ତିସ୍ୱରୂପା । ଦୁଷ୍ଟ ଦାନବକୁ ବଧ କରିଥିଲେ ଏବଂ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା ।
ସେହି ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସବୁ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଥାଏ ଶାରଦୀୟ ପାର୍ବଣ ପୂଜା । ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମଧ୍ୟରେ କାକଟପୁରର ମାଆ ମଙ୍ଗଳାଙ୍କ ମନ୍ଦିରରେ ବି ଆରମ୍ଭ ହୋଇଯାଇଛି ପାର୍ବଣ ପୂଜା । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଯାଏ ହୋଇଥାଏ ଏହି ଶାରଦୀୟ ଷୋଡଶ ଉପଚାର ପୂଜା । ଦୈନନ୍ଦିନ ମାଆ ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା ସହିତ ସ୍ୱତନ୍ତ୍ର ରୀତି ନୀତିରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ଏବଂ ସିଂହ ପୂଜା ଆୟୋଜନ ହେବା ସହିତ ସ୍ୱତନ୍ତ୍ର ପୁରୋହିତଙ୍କ ଦ୍ୱାରା ଚଣ୍ଡୀପାଠ କରାଯାଉଛି ।
ବର୍ଷର ଅନ୍ୟ ଦିନ ମାନଙ୍କରେ ମାଆ ମଙ୍ଗଳାଙ୍କୁ ପଞ୍ଚମ ଉପଚାରରେ ପୂଜା ଅର୍ଚ୍ଚନା କରାଯାଉଥିବାବେଳେ ଶାରଦୀୟ ଏବଂ ବାସନ୍ତିକ ପୂଜା ସମୟରେ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ପୂଜାପଣ୍ଡା ସଂକଳ୍ପ କରି ଚଳିତ ବର୍ଷ ୧୮ ଦିନ ପର୍ଯ୍ୟନ୍ତ ଏହି ପୂଜାକୁ ଜାରି ରଖିଛନ୍ତି ।
ପାର୍ବଣ ସମୟରେ ମାଆ ମଙ୍ଗଳାଙ୍କ ନିକଟକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଭକ୍ତ ମାନେ ମାଆ ମଙ୍ଗଳାଙ୍କ ଦର୍ଶନ କରିବା ସହିତ ବିଭିନ୍ନ ପୂଜା ଏବଂ ଭୋଗ ମାଆଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ସମୟରେ ମାଆ ମଙ୍ଗଳାଙ୍କ ମନ୍ଦିରରେ ପହୁଡ ହୋଇନଥାଏ । ଦିନ ଏବଂ ରାତୀ ସବୁ ସମୟରେ ମନ୍ଦିର ଖୋଲା ରହିବା ସହିତ ରାତି ତମାମ ମାଆଙ୍କ ପୂଜା ନୀତି ଚାଲିଥାଏ ।
ଏହି ପାର୍ବଣ ସମୟରେ ମାଆ ମଙ୍ଗଳାଙ୍କ ନିକଟରେ ଅନେକ ଗୁପ୍ତ ନୀତି ଆୟୋଜନ କରାଯାଇଥାଏ । ଏହି ପୂଜା ସମୟରେ ମାଆ ଉଗ୍ରରୂପ ଧାରଣ କରିବା ସହିତ ଭକ୍ତ ମାନଙ୍କର ରୋଗ,କଷ୍ଟ,ଦୁଃଖକୁ ବିନାଶ କରି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିଥାନ୍ତି । ଦୂରଦୂରାନ୍ତରୁ ଅନେକ ଭକ୍ତ ମାନେ ମାଆଙ୍କ ନିକଟରେ ମାନସିକ ପୂଜା କରିବା ସହିତ ମାଆ ମଙ୍ଗଳାଙ୍କୁ ଆରାଧନା କରିଥାନ୍ତି । ଏହି ସମୟରେ ମାଆ ମଙ୍ଗଳାଙ୍କ ନିକଟରେ ଯିଏ ଯାହା ମାନସିକ କରିଥାନ୍ତି ମାଆ ଭକ୍ତ ମାନଙ୍କର ସେହି ସମସ୍ତ ମନୋବାଞ୍ଛା ପୂରଣ କରିଥାନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି ।