ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ ସମାଗମରେ ପାଳିତ ହୋଇଛି ସୁବର୍ଣ୍ଣରେଖା ଠାକୁରାଣୀଙ୍କ ଯାତ୍ରା । ଓଡ଼ିଶାରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଏ । ଗାଁ ଗାଁରେ ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ପ୍ରକାରର ଯାତ୍ରା କରାଯାଇଥାଏ । ସମାନ ଭାବେ ଏବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ାରେ ସୁବର୍ଣ୍ଣରେଖା ଠାକୁରାଣୀଙ୍କ ଯାତ୍ରା ବଡ଼ ଧୁମଧାମରେ ପାଳନ କରାଯାଉଛି ।
ଏହି ଯାତ୍ରା ପାଇଁ ମା’ଙ୍କୁ ଫୁଲରେ ବଡ଼ ଧୁମଧାମରେ ସଜାଯାଇଛି । ପଦ୍ମ ଫୁଲ ସାଙ୍ଗକୁ ମନ୍ଦାର ଫୁଳରେ ଶୋଭା ପାଉଛନ୍ତି ମା’ । ମା’ଙ୍କ ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ମା’ ଭକ୍ତଙ୍କୁ ସ୍ୱପ୍ନାଦେଶ ଦେବା ପରେ ମା’ଙ୍କ ନାଁ ସୁବର୍ଣ୍ଣରେଖା ରଖାଯାଇଥିଲା ବୋଲି ଭକ୍ତମାନେ କୁହନ୍ତି । ମା’ଙ୍କ ଉପରେ ଭକ୍ତଙ୍କ ଅଗାଢ଼ ବିଶ୍ୱାସ ରହିଛି । ମା’ଙ୍କ ଏହି ଯାତ୍ରାରେ ଯୋଗଦେବା ପାଇଁ ଦୂର ଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟୁଛି । ବିଶ୍ୱାସ କରାଯାଏ ମା’ଙ୍କ ଠାରେ ଯାହା ବି ମାନସିକ କରାଯାଏ ତାହା ପୂରଣ ହୁଏ ।