ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଉତ୍କଳୀୟ ସଂସ୍କୃତିରେ ଓଷା ବ୍ରତ ଖୁବ ଗୁରୁତ୍ୱ ରହିଛି । ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି । ମହାଲକ୍ଷ୍ମୀଙ୍କର ପୂଜା ଅତି ପ୍ରାଚୀନ । ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ଅନେକ ବର୍ଣ୍ଣନା ରହିଛି । କୁହାଯାଏ, ଯେଉଁଠି ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି, ସେଠି ଧନ- ସମ୍ପଦ, ଐଶ୍ବର୍ଯ୍ୟ ବୃଦ୍ଧି ପାଇଥାଏ । ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ । ତେବେ ଆଜି ପବିତ୍ର ସୁଦଶା ବ୍ରତ ଯାହା ଓଡ଼ିଆ ଗୃହିଣୀଙ୍କ ମୁଖ୍ୟ ପର୍ବ ।

ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି । ମାତା ଲକ୍ଷ୍ମୀଙ୍କୁ ଏହିଦିନ ସମର୍ପଣ କରାଯାଇଛି । ପରମ୍ପରା ରହିଛି ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ । ଐଶ୍ବର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ଆମ ରାଜ୍ୟର ପୁରପଲ୍ଲୀରେ ପାଳିତ ହୋଇଥାଏ । ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ମହିଳାମାନେ ଆଜି ଏହି ପର୍ବକୁ ଖୁବ ଧୂମଧାମରେ ପାଳନ କରିଛନ୍ତି । ଆଜିର ଦିନରେ ପ୍ରାତଃ ଉଠି ନିତ୍ୟକାମ ସାରି ମାତାଙ୍କ ପୂଜା କରାଯାଏ ।

ଫୁଲ, ସିନ୍ଦୂର, ଚନ୍ଦନ, ନୂଆ ବସ୍ତ୍ର ଆଦିରେ ମାତାଙ୍କୁ ସଜାଯାଏ । ମାତାଙ୍କ ପାଖରେ ଭୋଗ ଆକାରରେ ଫଳ ସହ ଛଣା ପିଠା ମଧ୍ୟ ଲାଗି କରାଯାଏ । ଦ୍ୱିପହର ସମୟରେ ମାତାଙ୍କ ପ୍ରିୟ ଖେଚୁଡ଼ି ସହ ଶାଗ ଭଜା, ଡାଲି ଓ କ୍ଷିରି ଭଳି ସାତ୍ତ୍ଵିକ ଭୋଗ ଲାଗି କରାଯାଇ ସୁଦଶା ବ୍ରତ ବହି ପଢ଼ାଯାଏ । ଶେଷରେ ସନ୍ଧ୍ୟା ସମୟରେ ସିନ୍ଦୂର ଲଗାଇ, ଲଡ଼ୁ ଭୋଗ ଲାଗି କରାଇ ଧୂପ ଦୀପ ଦେଇ ବ୍ରତ ପୂଜା ସମାପନ କରାଯାଏ । ଏହଦିନ ପୂଜା ସାରିବା ପରେ ମନ୍ଦିରରେ କଳସ, ନଡ଼ିଆ, ଦହି-ଚାଉଳ, ନୂତନ ବସ୍ତ୍ର ସହ ମିଠା ଦାନ ମଧ୍ୟ କରିବା ଉଚିତ ।

ଏହି ବ୍ରତ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ଆଶିର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ । ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ବ୍ରତ ହେଉଛି ସୁଦଶା ବ୍ରତ । ସେହିଭଳି ଆପଣ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କର ୭ଟି ବାର ମଧ୍ୟରୁ ଗୁରୁବାର ସବୁଠୁ ପ୍ରିୟ ବାର । କିନ୍ତୁ ଯେଉଁ ମାସର ଶୁକ୍ଳପକ୍ଷ ଦଶମି ତିଥି ଗୁରୁବାର ପଡ଼ିଥାଏ, ସେହିଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହାର ବିଶେଷତ୍ୱ ରହିଛି ଯେ, ନବବିବାହିତା ନାରୀ ଏହିଦିନ ନିଜ ପାଇଁ ପ୍ରଥମ ବ୍ରତ କରିଥାନ୍ତି । ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା ମାନେ ପାଳନ କରିଥାନ୍ତି । ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.