ଜନ୍ମ ତିଥିରେ ବିରାଟ ପଟୁଆରରେ ଆସିଲେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ର, ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ

ପିପିଲି: ଆମ ସଂସ୍କୃତିରେ ଅନେକ ଭକ୍ତ ସେମାନଙ୍କର ଇଷ୍ଟଙ୍କ ପାଇଁ ନିଜର ଜୀବନକୁ ସମର୍ପିତ କରି ଦେଇଥାନ୍ତି । ଆଉ ତାଙ୍କ ଜନ୍ମ ତିଥିକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି । ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଜୟନ୍ତୀ କୁ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ବାଜୁଛି ଦୁଲଦୁଲି । ବଜନିଆମାନେ ବଜାଉଛନ୍ତି ଢୋଲ। ଶୁଭୁଛି ଘଣ୍ଟ ମାର୍ଦଳର ଶଦ୍ଦ । ବିଭିନ୍ନ ପ୍ରକାରର ସାହି ଜାତର ଝଲକ ଦେଖିବାକୁ ମିଳିଥିଲା ।

ସେପଟେ ରଥ ଉପରେ ସଜ୍ଜିତ ହୋଇ ଆସୁଥିଲେ ଠାକୁ ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ର । ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଭୁବନେଶ୍ଵର ଉପକଣ୍ଠ ଶିଶୁପାଳଗଡ଼ ଗ୍ରାମରେ । ଠାକୁରଙ୍କୁ ବିରାଟ ପଟୁଆରରେ ନିଆଯାଇଥିଲା ବଜାର ପରିକ୍ରମା କରାଯିବା ପାଇଁ । ଭକ୍ତଙ୍କ ଭଜନ କୀର୍ତନରେ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ ।

ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ପାଇଁ ବେଶ ଚଳଚଂଚଳ ହୋଇ ଉଠିଥିଲା ଶିଶୁପାଳଗଡ଼ ଗ୍ରାମ । ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ, ଉଷା କିର୍ତନ, ସମବେତ ବିନତୀ ପ୍ରାର୍ଥନା କରାଯାଇଥିଲା । ଯେଉଁ କାର୍ଯ୍ୟକ୍ରମରେ ସମସ୍ତେ ଏକଜୁଟ ହୋଇ ଠାକୁରଙ୍କ ନାମରେ ମଜିଯିବା ସହିତ ତାଙ୍କ ଆରାଧନାରେ ତଲିନ ହୋଇଯିବା ଫଳରେ ଜୀବନର ମୂଲ୍ୟ ବୁଝିବା ସହିତ ସଂସାର ରଥକୁ ଆଗକୁ ନେଇ ପାରିବେ । ଏହା ପରେ ଆରମ୍ଭ ହୋଇଥିଲା ଠାକୁରଙ୍କ ସତସଙ୍ଗ ।

ଏକତ୍ରୀତ ହୋଇଥିଲେ ଶହ ଶହ ସଂଖ୍ୟାରେ ଭକ୍ତ । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ଏବଂ ଯୁବକ, ଯୁବତୀ ସମସ୍ତେ ଠାକୁରଙ୍କୁ ସ୍ମରଣ କରିବା ସହିତ ନାମ ଧ୍ୟାନ କରିଥିଲେ । ଠାକୁର ସେମାନଙ୍କୁ ପ୍ରତେକ ମୁହୂର୍ତ୍ତରେ ସହାୟ ହୋଇଥାନ୍ତି । ତେଣୁ ଏଭଳି ଏକ ଭବ୍ୟ ପରିବେଶରେ ସେମାନେ ସାମିଲ ହୋଇଥିବା କହିଛନ୍ତି ଠାକୁରଙ୍କ ଭକ୍ତମାନେ । ଭକ୍ତଙ୍କ ଗହଳି ଚହଳିରେ ସୃଷ୍ଟି ହୋଇଥିଲା ଏକ ସାତ୍ଵିକ ପରିବେଶ । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଦିନକୁ ଖୁବ ଆକର୍ଷଣୀୟ ଭାବେ ପାଳନ କରିଥିଲେ ତାଙ୍କର ପ୍ରୀୟ ଭକ୍ତମାନେ ।