ପିପିଲି: ଭୁବନେଶ୍ଵର ଉପକଣ୍ଠ ଲିଙ୍ଗିପୁର ଘାଟ ନିକଟରେ ପୂଣ୍ୟତୟା ଦୟା ନଦୀ । ଦୟା ନଦୀ ପାଦ ଦେଶରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ତ୍ରୟୋଦଶତମ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଛି । ସାତ ସାଧବ ପୁଅଙ୍କ ସହିତ ସାଧବ ବୋହୂଙ୍କୁ ଦେଖିବାକୁ ମିଳିଥିଲା ଏହି ଐତିହାସିକ ପୂଣ୍ୟ ତୟା ଦୟା ନଦୀ ଅବବାହିକାରେ ।
ସୁସଜ୍ଜିତ ବୋଇତକୁ ରଖା ଯାଇ ପ୍ରଥମେ ପୂଜାର୍ଚ୍ଚନା କରାଯିବା ପରେ ସାତ ସାଧବ ପୁଅଙ୍କୁ ସାଧବ ବୋହୂମାନେ ବନ୍ଦାପନା କରିଥିଲେ । ଏହା ପରେ ଦରିଆ ପାରିକୁ ବୋଇତ ପଠା ଯାଇଥିଲା । ଏହି ବୋଇତ ଭାସି ଭାସି ଯିବ ଆଉ ଦେଶ ପାଇଁ ଦରିଆ ପାରିରୁ ଧନ,ରତ୍ନ,ମୋତି,ମାଣିକ ଆଣିବ । ଏହି ସ୍ମୃତିକୁ ସାଇତି ରଖିବା ପାଇଁ ଆଜି ଏହି ବୋଇତ ବନ୍ଦାଣ ଉତ୍ସବ କରା ଯାଇଥିବାର କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚର ଆବାହକ କହିଛନ୍ତି । ମୁଖ୍ୟ ଅତିଥି ଭାବରେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗ ଦେଇ ସାଧବ ପୁଅଙ୍କୁ ଦରିଆ ପାରିକୁ ବାଣିଜ୍ୟ କରିବା ପାଇଁ ମେଲାଣି ଦେଇଥିଲେ ।
କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ପୂଣ୍ୟତୟା ଦୟା ନଦୀରେ ଡ଼ଙ୍ଗା ଭସାଇବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ବୋଇତ ବନ୍ଦାଣ ଉତ୍ସବରେ ବହୁ ମାନ୍ୟ ଗଣ୍ୟ ଅତିଥିମାନେ ଯୋଗ ଦେଇଥିଲେ । କଣ୍ଠ ଶିଳ୍ପୀ ପାମେଲା ଜୈନଙ୍କ ହିନ୍ଦି ଏବଂ ଓଡ଼ିଆ ଭଜନ ସାଙ୍ଗକୁ, ଶ୍ରୀଚରଣ ମହାନ୍ତିଙ୍କ ଯାଦୁକାରୀ ସଙ୍ଗୀତର ତାଳ ତାଳେ ଝୁମି ଉଠିଥିଲେ ଦର୍ଶକ । ଉଭୟ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଏହି ଅବସରରେ ଓଡ଼ିଶାର ଗାଥାର ଗାରିମାକୁ ଅତିଥିମାନେ ସ୍ମରଣ କରିଥିଲେ । ଲୋକମାନେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ବେଶ ଖୁସି ବ୍ୟକ୍ତ କରିଥିଲେ ।
ସଂଳାପ ଲେଖକ ଡ଼ଃ ରଜନୀ ରଂଜନ ଦାଶଙ୍କୁ ଦୟା ନଦୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ହଜି ଯାଉଥିବା ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ଏହି ବୋଇତ ବନ୍ଦାଣ ଉତ୍ସବ ଆଗାମୀ ଦିନ ମାନଙ୍କରେ ଆମ କଳା ସଂସ୍କୃତି ବଞ୍ଚାଇ ରଖିବାରେ ଯୁବପିଢୀ ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ଯୋଗାଇ ଦେବ ।