ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଘରୁ ଗୋଡ଼ କାଢିଲେ ମା ଭୈରବୀଙ୍କ ନାମ ପାଟିରେ ବାହାରି ଆସେ । ଦୁଖରେ ହେଉ କି କୌଣସି ଶୁଭ କାମରେ ହେଉ ମା ଭୈରବୀଙ୍କୁ ନ ସୁମରିଲେ କାମ ଅଧୁରା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ମା ଭୈରବୀ ଏହି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ମାଆଙ୍କ ଷୋଡଶ ଉପଚାର ପୂଜା । ଅଶ୍ୱିନ ମାସ ଶକ୍ଳ ପକ୍ଷ ମୁଳାଷ୍ଟମୀ ଠାରୁ ଅଶ୍ୱିନ ମାସ ପୁର୍ଣ୍ଣିମା ଯାଏଁ ମା’ ଭୈରବୀଙ୍କ ପୀଠରେ ଏହି ଗୁପ୍ତ ପୂଜା ହୋଇଥାଏ । ଏହି ସମୟରେ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ମନା ।

ଏହି ୧୬ ଦିନ ମାଆ ଭକ୍ତଙ୍କୁ ଦର୍ଶନ ଦେଉନଥିବାବେଳେ ଏହି ସମୟରେ ମନ୍ଦିର ପରିସରରେ ରହିଥିବା ଶାହାଡ ଗଛକୁ ଦର୍ଶନ କଲେ ସମାନ ପୁଣ୍ୟପ୍ରାପ୍ତି ହୋଇଥାଏ । ମାଆଙ୍କର ପାଟଖଣ୍ଡା, ଛତ୍ର, ପ୍ରତିମା ଢୋଲ ନିଶାନ, ମହୁରୀ, ଘଣ୍ଟ ବାଦ୍ୟରେ ଦେହୁରୀ ଘରୁ ବାହାରି ମନ୍ଦିରକୁ ଆସିଥାନ୍ତି ମା’ ଭୈରବୀ । ପରେ ମନ୍ଦିର ପରିବେଶ ଙ୍କୁ ସମ୍ପୁର୍ଣ୍ଣ ଭାବେ ନିବୁଜ କରି ଅର୍ଦ୍ଧନିଶାରାତିରେ ୧୬ ଦିନ ଧରି ମାଆଙ୍କୁ ଗୁପ୍ତପୁଜା କରିଥାନ୍ତି ସେବାୟତ । ମାଆ ଭୈରବୀଙ୍କ ଏହି ଗୁପ୍ତପୁଜା ଅନ୍ୟ ଶକ୍ତି ବା ଦେବୀ ପୀଠଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଗୁପ୍ତପୁଜା ତାଳପତ୍ର ପୋଥି ଅନୁସାରେ ଅର୍ଦ୍ଧନିଶା ରାତିରୁ ଆରମ୍ଭ ହୋଇ ଷୋହଳ ଦିନ ଧରି ଚାଲିଥାଏ । ବିଶେଷ କରି ଶକ୍ତି ପୀଠ ଗୁଡିକରେ ଷୋଡଶ ଉପଚାର ପୂଜା ପାଇଁ ଦେବୀଙ୍କୁ ବିଭିନ୍ନ ବେଶଭୁଷାରେ ସୁସଜ୍ଜିତ କରାଯାଇଥାଏ । ଏହା ସହିତ ଦର୍ଶନ ପାଇଁ ପାଇଁ ଭକ୍ତ ମାନଙ୍କ ସୁଅ ଛୁଟିଥାଏ । କଟକର ଚଣ୍ଡି, ଯାଜପୁର ବିରଜା ହୁଅନ୍ତୁ ଅବା ସମ୍ବଲପୁରର ମାଆ ସମଲେଇ ସମସ୍ତ ଶକ୍ତି ପୀଠରେ ଷୋଡଶ ପୂଜା ସମୟରେ ଦର୍ଶନ ଦେଇଥାନ୍ତି ମାଆ । ହେଲେ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ପୀଠରେ ରହିଛି ସ୍ୱତନ୍ତ୍ରତା ।

କାରଣ ଏଠାରେ ଷୋଡଶ ଉପଚାର ପାଇଁ ଚାଲିଥିବା ପୂଜାକୁ ଗୁପ୍ତ ଭାବରେ କରାଯାଉଥିବାରୁ ଏହାକୁ ଗୁପ୍ତ ପୂଜା ବୋଲି କୁହାଯାଇଥାଏ । ମାଆ ଭୈରବୀଙ୍କ ଷୋଡଶ ଉପଚାର ପୂଜା ପାଇଁ ସମଗ୍ର ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବହୁ ଦୁରଦରାନ୍ତରୁ ଛୁଟିଆସନ୍ତି ଭକ୍ତ । ୧୬ ଦିନ ଧରି ମାଆ ଭୈରବୀ ଗୁପ୍ତ ପୂଜା ପାଉଥିବାରୁ ଭକ୍ତଙ୍କ ଦର୍ଶନ ମନା ହୋଇଥିବାବେଳେ ଏବେ ଭକ୍ତମାନେ ଅପେକ୍ଷା କରିଛନ୍ତି କେବେ ଦର୍ଶନ ଦେବେ ମାଆ । ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ଷୋଡଶ ଉପଚାର ପୂଜାରେ ରହିଛି ଅନେକ ସ୍ୱତନ୍ତ୍ରତା । ଯାହା କି ଅନ୍ୟଶକ୍ତୀ ପୀଠ ଠାରୁ ଭିନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like