ଖୁବ ସ୍ୱତନ୍ତ୍ର ସୁହାଣୀ ଦେବୀଙ୍କ ଇତିହାସ, କିନ୍ତୁ ପ୍ରଶାସନ ଅଢୁଆଳରେ ରହିଯାଇଛି ଏହି ପୀଠ

ପ୍ରତିବର୍ଷ ପରି ଭାଦ୍ରବ ମାସ ଗଣେଶ ଚତୁର୍ଥି ପରେ ପ୍ରଥମ ମଙ୍ଗଳବାର ଦିନ ସୁହାଣୀ ଦେବୀଙ୍କ ପୂଜା ହୋଇଥାଏ । ରେଢ଼ାଖୋଲ ବ୍ଲକ ବଂଶାଜାଲ୍ ଗ୍ରାମ ନିକଟସ୍ଥ ସୁହାଣୀ ନାମକ ପାହାଡରେ ରହିଛି ସୁହାଣୀ ଦେବୀଙ୍କ ମନ୍ଦିର । ତେଣୁ ଗତକାଲି ଏହି ଦେବୀଙ୍କ ପୀଠରେ ପୂଜା କରାଯାଇଥିଲା । ପାହାଡର ଚାରିଆଡେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଦେବୀ ସୁହାଣୀଙ୍କ ପୀଠ । ବଣୁଆ ହାତୀଙ୍କ ପାଦଚିହ୍ନରେ ଆଚ୍ଛାଦିତ ଜଙ୍ଗଲୀ ରାସ୍ତାରେ ନାଳ ନର୍ଦ୍ଦମା ଡେଇଁ ଆଖପାଖ ଅଞ୍ଚଳର ଶତାଧିକ ମାନସିକଧାରି ଶ୍ରଦ୍ଧାଳୁ ହାତରେ ନଡ଼ିଆ, କଦଳୀ ଆଦି ଭୋଗ ସାମଗ୍ରୀ ଧରି ପହଞ୍ଚିଥିଲେ ମାଁ ସୁହାଣୀଦେବୀଙ୍କ ପୀଠରେ ।

ଢୋଲ, ନିଷାଣ, ମହୁରୀ ଓ ଘଣ୍ଟ ବାଦ୍ୟରେ ଉକ୍ତ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା । ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ କହିବା ଅନୁଯାଇ ଶହ ଶହ ବର୍ଷ ହେବ ସୁହାଣୀ ଦେବୀଙ୍କ ପୂଜା ଏହି ସ୍ଥାନରେ ହୋଇଆସୁଅଛି । ଦେବୀଙ୍କ ପୂଜକଙ୍କ କହିବା ମୁତାବକ ଅତୀତରେ ଧର୍ମପୁର ଗାଁର ସୁହାଣୀ ଦେବୀ ଜଣେ ଉଆଁସୀ କନ୍ୟା ଥିଲେ । ପୁରାତନ କାଳରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ଏଇ ବାଟ ଦେଇ ଯିବା ବେଳେ ସୁହାଣୀ ଦେବୀଙ୍କ ପିତା ଧର୍ମରାଜ ଯୁଧିଷ୍ଠିରଙ୍କର ଭବ୍ୟ ସ୍ୱାଗତ କରିଥିଲେ ଏବଂ ଅର୍ଜୁନଙ୍କ ସହ ସୁହାଣୀ ଦେବୀଙ୍କ ବିବାହ ହୋଇଥିଲା ।

ସେହି ସମୟରେ ଅର୍ଜୁନ ସୁହାଣୀ ଦେବୀଙ୍କୁ ବିବାହ କରି ଫେରିଲା ବେଳେ ସାଙ୍ଗରେ ତାଙ୍କୁ ନେବା ପାଇଁ କହି ଯାଇଥିଲେ । ହେଲେ ସେ ଆଉ ଫେରି ନ ଥିଲେ । ସେହିଦିନ ଠାରୁ ସୁହାଣୀ ଦେବୀ ଏହି ସ୍ଥାନରେ ଅର୍ଜୁନଙ୍କୁ ଅପେକ୍ଷା କରି ରହିଛନ୍ତି । ସେହିଦିନ ଠାରୁ ଏହି ସ୍ଥାନରେ ମାଁ ସୁହାଣୀ ପୂଜା ପାଇ ଆସୁଥିବା ଭକ୍ତମାନଙ୍କର ବିଶ୍ୱାସ ରହିଛି । ତେବେ ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ଶହଶହ ବର୍ଷ ହେଲା ମାଁ ସୁହାଣୀ ଦେବୀ ପୂଜା ପାଇ ଆସୁଥିଲେ ମଧ୍ୟ ଆଜି ଯାଏ ପ୍ରଶାସନର ଦୃଷ୍ଟିଗୋଚର ହୋଇ ପାରିନାହିଁ ।

ଏଠାକୁ ଯିବାକୁ ହେଲେ ଟ୍ରେନ ଲାଇନ ପ୍ରତିବନ୍ଧକ ସାଜିଥିବା ବେଳେ ପୂର୍ବଭଳି ଆଜିବି ଗଛ ଡାଳ, ନାଳ,ଗୋଡି ପଥର ଡେଇଁ ଅଣ ଓସାରିଆ ରାସ୍ତାରେ ଲୋକେ ଯାଉଛନ୍ତି ମାଁଙ୍କ ପୀଠକୁ । ବାରମ୍ବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ତେବେ ବର୍ତ୍ତମାନ ଏହି ଅଞ୍ଚଳର ଲୋକେ ମା’ଙ୍କ ମନ୍ଦିରକୁ ଯିବା ପାଇଁ ଏକ ଭଲ ରାସ୍ତା କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like