ଓଡ଼ିଶାର ଦ୍ଵିତୀୟ ଜୋରନ୍ଦା ଧାମ, ଏଠାକୁ ଆସି ଅଖଣ୍ଡ ଧୂନି ଜାଳିଥାନ୍ତି ସାଧୁସନ୍ଥ
କେନ୍ଦ୍ରପଡା : କେନ୍ଦ୍ରପଡା ଜିଲ୍ଲା ଡେରାବିଶ ବ୍ଳକ ଯଅଁରାବାରିମୂଳ ପାଂଚୟତ ଅନ୍ତର୍ଗତ ଖାନନଗର ସ୍ଥିତ ଖାନନଗର ଅଲେଖ ମହିମା ଆଶ୍ରମ । ୫ଏକର ପରିମିତ ବିଶିଷ୍ଟ ଏହି ଆଶ୍ରମଟିକୁ ୧୯୦୭ ମସିହାରେ ବ୍ରହ୍ମଅବଧୂତ ମନୋହର ବାବା ଏହି ଆଶ୍ରମକୁ ପ୍ରତିଷ୍ଠା କରି ଏହି ଅଂଚଳରେ ମହିମା ଧର୍ମର ପ୍ରଚାର ପ୍ରସାର ଆରମ୍ଭ କରିଥିଲେ । ୧୯୪୨ ମସିହାରେ ମନୋହର ବାବାଙ୍କ ଘଟାନ୍ତର ହେବା ପରେ ତାଙ୍କ ଶିଷ୍ୟ ବ୍ରହ୍ମଅବଧୂତ ତାରକ ଚନ୍ଦ୍ର ବାବାଙ୍କ କାନ୍ଧରେ ଏହି ଆଶ୍ରମର ଗୁରୁ ଦାୟିତ୍ଵ ପଡ଼ିଥିଲା । ସେବେଠୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହାୟତାରେ ଚାଲି ଆସିଛି ଏହି ଆଶ୍ରମ । ଦୈନିକ ଶହ ଶହ ସାଧୁସନ୍ଥ ମାନେ ଏଠାକୁ ଆସି ମାନବ ସମାଜର କଲ୍ୟାଣ ନିମନ୍ତେ ଅଖଣ୍ଡ ଧୂନି ଜାଳିଥାନ୍ତି ।
ତେବେ ବାବାଙ୍କ କହିବା ଅନୁଯାୟୀ ଏହି ଆଶ୍ରମଟି ଓଡ଼ିଶାର ଦ୍ଵିତୀୟ ଜୋରନ୍ଦା ଧାମ ଭାବେ ରାଜ୍ୟରେ ସୁପରିଚିତ । ଏହି ଆଶ୍ରମ ଅଧୀନରେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର ଇତ୍ୟାଦି ଜିଲ୍ଲାରେ ହଜାର ହଜାର ମହିମା ଟୁଙ୍ଗି ରହିଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ବର୍ଷ ତମାମ ଆଶ୍ରମ ପରିସରରେ ଅନୁଷ୍ଠିତ ବିଭିନ୍ନ ପର୍ବପର୍ବାଣୀରେ ଯୋଗ ଦେଇଥାନ୍ତି । ତେବେ ତାରକ ବାବାଙ୍କ ଉଦ୍ୟମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ଏହି ଧର୍ମକୁ ଆପଣାଇଥିଲେ । ତାରକବାବାଙ୍କ ଉଦ୍ୟମରେ ଆଶ୍ରମ ପରିସରରେ ଅଖଣ୍ଡଧୂନୀ ମନ୍ଦିର ନିର୍ମାଣ, ଶୂନ୍ୟମନ୍ଦିର ନିର୍ମାଣ ସହିତ ଅନ୍ୟାନ୍ୟ ବହୁବିଧ ଉନ୍ନତି କରଣ କାର୍ଯ୍ୟ କରାଯାଇଥିଲା ।
ପ୍ରତିବର୍ଷ ଫାଲଗୁନ ଶୁକ୍ଳପକ୍ଷ ଷଷ୍ଠୀ ଠାରୁ ଦଶମୀ ଯାଏ ଆଶ୍ରମ ପରିସରରେ ମହିମା ମେଳା ଅନୁଷ୍ଠିତ ହେବା ସହ ଅଖଣ୍ଡ ଝାଡ଼ ପ୍ରଜ୍ଜ୍ଵଳନ କରାଯାଏ । ଏଥିରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦେଇ ଆଶିର୍ବାଦ ଭିକ୍ଷା କରିଥାନ୍ତି । ଏଥିସହିତ ସବୁ ଚତୁର୍ଦ୍ଦଶୀ ତିଥିରେ ମଧ୍ୟ ଆଶ୍ରମ ପରିସରରେ ମହିମା ମେଳା ଅନୁଷ୍ଠିତ ହୋଇଥାଏ ।
ପୂର୍ବରୁ ସରକାର ମଠ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଖର୍ଚ୍ଚ କରିଥିବା ବେଳେ ଏହି ଶହେ ବର୍ଷରୁ ଉର୍ଧ୍ଵ ମହିମା ଆଶ୍ରମ ସରକାରି ସୁବିଧାରୁ ବାଦ ପଡିଛି । ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଆଶ୍ରମର ଉନ୍ନତି ପାଇଁ ବର୍ତମାନର ସରକାର ନିକଟରେ ସହାୟତା ପାଇଁ ଦାବି କରିଛନ୍ତି ସ୍ଥାନୀୟ ସରପଚଂ । ଅନ୍ୟପଟେ ବର୍ଷସାରା ଏଠାରେ ଭକ୍ତମାନଙ୍କ ଭିଡ଼ ଲାଗିରହିଥାଏ । ଅଲେଖ ମହିମାଙ୍କ କୃପାରୁ ଏଠାରେ ମାନସିକ ପୂରଣ ହୋଇଥିବା ଭକ୍ତ ଓ ମାନସିକ କରିବା ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି । ବ୍ରହ୍ମ ଅବଧୂତ ତାରକବାବାଙ୍କ ଘଟାବସାନ ପରେ ତାଙ୍କ ଦ୍ଵାରା ଅର୍ଦ୍ଧନିର୍ମିତ ଥିବା ଯାତ୍ରୀନିବାସ, ବର୍ତମାନ ଭକ୍ତମାନଙ୍କ ସହାୟତାରେ ଏବେ ନିର୍ମାଣ ଚାଲିଛି । ଏହାଛଡ଼ା ମହିମା ଧର୍ମର ଅନେକ ପୁସ୍ତକ ଗଚ୍ଛିତ ରହିଛି ଯାହାକି ଗବେଷକମାନଙ୍କ ପାଇଁ ଏହା ସହାୟକ ହେବ ।
ସେପଟେ ପର୍ଯ୍ୟଟନ ସ୍ଥଳୀର ଦାବିକୁ ସ୍ଵାଗତ କରିଛି ପ୍ରଶାସନ । ତୁରନ୍ତ ଏଦିଗରେ ଏକ ତଦନ୍ତ କରାଯାଇ ରିପୋର୍ଟ ଆସିଲା ପରେ ଖୁବଶିଘ୍ର ହେି ପୁରୁଣା ଆଶ୍ରମକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର । ତେବେ ଏହି ଚଳଚଂଚଳ ଆଶ୍ରମଟିକୁ ସରକାରୀ ସହାୟତା ସହ ଏହି ପର୍ଯ୍ୟଟନ ମାନ୍ୟତା ଦେଇ ସରକାର ଏହି ସ୍ଥଳର ଅଧିକ ଉନ୍ନତି କରିପାରିଲେ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ହେବ ଏଥିରେ ଦ୍ଵନ୍ଦ ନାହିଁ ।