କେବେ ଶୁଖେ ନାହିଁ ଏହି ଦୁଇଟି କୁଣ୍ଡ: ଏଠାରେ ପୂଜା ପାଉଛନ୍ତି ମାଆ ସରସ୍ୱତୀ ଏବଂ କଇଁଫୁଲିଆ ବାବା

ହରଭଙ୍ଗା: ଗାଁରେ ନାହିଁ ଜଳ ସଙ୍କଟ । ପାଣି ପାଇଁ ହେବାକୁ ପଡୁନି ହନ୍ତସନ୍ତ । କାରଣ ମାଘ ମାସ ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାଦାୟୀନି ମାତା ସରସ୍ୱତୀ ଦେବୀ ଏବଂ କଇଁଫୁଲିଆ ବାବାଙ୍କ ଉଦ୍ଦେଶ୍ୟରେ ପୂଜା ଓ ନାମଯଜ୍ଞ କଲେ ଏଭଳି ସମସ୍ୟା ଦୁର ହୋଇଥାଏ ବୋଲି ରହିଛି ଗ୍ରାମବାସୀଙ୍କ ବିଶ୍ୱାସ । ସେଥିପାଇଁ ଚାଲିଛି ପୂଜାର୍ଚ୍ଚନା । ହରିନାମ ଧ୍ୱନୀରେ ପ୍ରକମ୍ପିତ ପରିବେଶ । ପୂଜା ପାଉଛନ୍ତି ବିଦ୍ୟା ପ୍ରଦାୟୀନି ମାତା ସରସ୍ୱତୀ ଦେବୀ ଏବଂ କଇଁଫୁଲିଆ ବାବା । ଶ୍ରଦ୍ଧାଳୁଙ୍କ ଭିଡ ବି ପ୍ରବଳ । ନିଷ୍ଠାକାଷ୍ଠାର ସହିତ ସମେତ ହରିନାମ ସଙ୍କିର୍ତନରେ ମସଗୁଲ । ଏ ହେଉଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର କୁନ୍ଦନାଳି ପଥର ଠାସରାର ।

ଚାରି ପାଶ୍ୱର୍ରେ ପଥରର ଚଟାଣ । ଆଉ ପଥର ଚଟାଣ ଉପରେ ରହିଛି ଦୁଇଟି କୁଣ୍ଡ । ସେହି କୁଣ୍ଡରେ ରହିଛି ପାଣି । ଖରା,ବର୍ଷା,ଶୀତ କାକରରେ ବି ଏହି ଦୁଇଟି କୁଣ୍ଡରୁ ପାଣି ଶୁଖେନାହିଁ । ସର୍ବଦା ଏହି କୁଣ୍ଡରେ ପାଣି ଭର୍ତି ହୋଇଥାଏ । ଏହି ସ୍ଥାନରେ ପୂର୍ବରୁ ମୁନିଋଷି ମାନେ ଜପତପ କରୁଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ପଥର ଚଟାଣ ଉପରେ ଥିବା ଦୁଇଟି କୁଣ୍ଡରୁ କେବେ ମଧ୍ୟ ପାଣି ସୁଖେ ନାହିଁ ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ । ତାପରେ କୁଣ୍ଡର ମହିମା ଚତୁର୍ଦ୍ଦିଗରେ ବିଖ୍ୟାତ ହେଲା । କୁଣ୍ଡ ଦେଖିବାକୁ ଲୋକଙ୍କ ସୁଅ ଛୁଟିଲା । ଏବେ ମଧ୍ୟ ଏହି ଦୁଇଟି କୁଣ୍ଡରେ ପାଣି ଭର୍ତି ହୋଇ ରହିଛି ।

ପ୍ରତିବର୍ଷ ମାଘ ମାସ ଶ୍ରୀ ପଞ୍ଚମୀ ତିଥିରେ ବିଦ୍ୟା ପ୍ରଦାୟିନୀ ମାତା ସରସ୍ୱତୀ ଦେବୀ ଏବଂ ଅଞ୍ଚଳର ପ୍ରଖ୍ୟାତ କଇଁଫୁଲିଆ ବାବାଙ୍କୁ କୁନ୍ଦନାଳୀ ପଥର ଠାସରା ଉପରେ ପୂଜାର୍ଚ୍ଚନା ସହିତ ନାମ ସଂଙ୍କିର୍ତନ କଲେ ଗ୍ରାମରେ ଜଳ ସଙ୍କଟ ଦୁର ହୋଇଥାଏ । ଏଭଳି ବିଶ୍ୱାସ ନେଇ ଦୀର୍ଘ ବର୍ଷ ହେବ ଖଜୁରିଆ ଗ୍ରାମବାସୀ ମାଘ ମାସ ଶ୍ରୀ ପଞ୍ଚମୀ ତିଥିରେ ପୂଜାର୍ଚ୍ଚନା କରିଆସୁଛନ୍ତି । ଏଥିରେ ଗ୍ରାମର ଲୋକମାନେ ସାହାଯ୍ୟ ସହଯୋଗ କରିଥାନ୍ତି । ହେଲେ ଏଭଳି ଏକ ବିରଳ ପୀଠର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ କି ସରକାର ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି କୁନ୍ଦନାଳୀ ପଥର ଠାସରାର ବିକାଶ କରାଗଲେ ଏହା ଏକ ଭଲ ଦାର୍ଶନିକ ସ୍ଥାନ ହେବା ସହିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁଅ ଛୁଟିବ ବୋଲି କହିଛନ୍ତି ଗ୍ରାମବାସୀ ।

ତେବେ ଏଠାରେ ପୂର୍ବ ସରକାରଙ୍କ ସମୟରେ ନବିନ ଓଡିଶା ଯୋଜନାରେ ଏକ କମ୍ୟୁନିଟ ଘର ନିର୍ମାଣ କାମ ଆରମ୍ଭ ହୋଇଥିଲେ ହେଁ ତାହା ଏବେ ଅଧପନ୍ତରିଆ ଭାବେ ପଡିରହିଛି । ତେବେ ସେ ଯାହା ହେଉ ନା କାହିଁକି ଲୋକଙ୍କ ଆସ୍ଥା,ଭରଷା ଏବଂ ବିଶ୍ୱାସ ରହିଥିବା କୁନ୍ଦନାଳି ପଥର ଠାସରାରେ ଥିବା ଦୁଇଟି ଜଳଭରା କୁଣ୍ଡର ବିକାଶ କରିବା ନିତ୍ୟାନ୍ତ ଜରୁରୀ ।

 

You might also like