ଆଜି କଳ୍କୀ ଜୟନ୍ତୀ, ଜାଣନ୍ତୁ ଆଜି ଦିନର ମାହାତ୍ମ୍ୟ ଏବଂ ପୂଜାବିଧି

କଳ୍କୀ ଅବତାର ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ । କାରଣ ମାନ୍ୟତା ରହିଛି ଯେ ଭଗବାନ ଯେତେବେଳେ କଳ୍କୀ ଅବତାର ନେବେ ଏହି ଦୁନିଆରୁ ପାପୀ ମାନଙ୍କର ବିନାଶ ହେବ ଏବଂ କଳିଯୁଗର ଅନ୍ତ ହେବ । ତେବେ ଦର୍ଶକବନ୍ଧୁ ଏଭଳି କିଛି ଲୋକକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । ତେଣୁ ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥିରେ କଲ୍କି ଜୟନ୍ତୀ ପର୍ବ ପାଳନ କରାଯାଏ । ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଭଗବାନ ବିଷ୍ଣୁ କଳିଯୁଗ ଶେଷରେ ଶ୍ରାବଣ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥିରେ କଲ୍କି ଅବତାରରେ ଜନ୍ମ ହେବେ ତେଣୁ ଏହି ଦିନକୁ କଲ୍କି ଜୟନ୍ତୀ ଭାବରେ ପାଳନ କରାଯାଏ ।

ଅନ୍ୟପଟେ ଶ୍ରାବଣ ମାସ ପୂଜା ଏବଂ ପର୍ବ ପାଇଁ ଖୁବ ଜଣାଶୁଣା । ଏହି ସମୟରେ, ଏଭଳି ଅନେକ ପର୍ବ ଅଛି ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏଥିମଧ୍ୟରୁ ଅନ୍ୟତମ ହେଉଛି ଏହି କଲ୍କି ଜୟନ୍ତୀ । ତେବେ ଚଳିତ ବର୍ଷ କଲ୍କି ଜୟନ୍ତୀ ୧୦ ଅଗଷ୍ଟ ଅର୍ଥାତ ଆଜି ପାଳନ କରାଯାଉଛି । ଏହି ଦିନକୁ ନେଇ ଲୋକମାନଙ୍କ ମନରେ ଅନେକ ବିଶ୍ୱାସ ଅଛି, ତେବେ ଆସନ୍ତୁ ଏହି ଦିନ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଜାଣିବା । ଆଜିର ଦିନରେ ଦାନ ପୁଣ୍ୟ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ ।

ତେଣୁ ଆଜିର ଦିନରେ ଶ୍ରଦ୍ଧାର ସହ ଭଗବାନ ବିଷ୍ଣୁଙ୍କ ପୂଜାପାଠ କରିବା ଉଚିତ । ଏହି ଦିନ ଭଗବାନ ବିଷ୍ଣୁଙ୍କର କଲ୍କି ଅବତାରକୁ ପୂଜା କରିବା ସହ ବିଷ୍ନୁସହସ୍ର ନାମ ମଧ୍ୟ ପାଠ କରିବା ଉଚିତ । ପ୍ରଭୁ କଲ୍କିଙ୍କ ନାମ ଜପ କରିବା ଦ୍ୱାରା ଧନ, ଖ୍ୟାତି ଏବଂ ଦୀର୍ଘାୟୁ ବୃଦ୍ଧି ପାଇବ ଏବଂ ସୁଖ ପ୍ରାପ୍ତ ହେବ । କଲ୍କି ଭଗବାନ ବିଷ୍ଣୁଙ୍କର ଏକ ଏଭଳି ଅବତାର, ଯିଏ ଜନ୍ମ ନେବା ପୂର୍ବରୁ ମଧ୍ୟ ତାଙ୍କର ପୂଜାପାଠ କରାଯାଏ । ତେଣୁ ତାଙ୍କର ଏକ ସ୍ୱତନ୍ତ୍ର ଦିନ ଅର୍ଥାତ କଳ୍କୀ ଜୟନ୍ତୀ ରହିଛି । ସେହିଭଳି ହିନ୍ଦୁମାନଙ୍କର ବିଭିନ୍ନ ଧାର୍ମିକ ଏବଂ ପୌରାଣିକ ଗ୍ରନ୍ଥ ମଧ୍ୟରୁ କଳ୍କୀ ପୁରାଣ ଅନ୍ୟତମ ।

ଏହି ପୁରାଣରେ ଭଗବାନ ବିଷ୍ଣୁଙ୍କ ଦଶମ ତଥା ଶେଷ ଅବତାର ବିଷୟରେ ପୂର୍ବାନୁମାନ କରାଯାଇଛି ଏବଂ ଏହା କୁହାଯାଇଛି ଯେ ବିଷ୍ଣୁଙ୍କ ପରବର୍ତ୍ତୀ ଅବତାର କଲ୍କି ଅବତାର ହେବ । ବିଶ୍ୱାସ ରହିଛି ଯେତେବେଳେ କଳିଯୁଗ ଶିଖରକୁ ଆସିବ, ଯେତେବେଳେ ପାପ ଏବଂ ଅନ୍ୟାୟ ଅତ୍ୟଧିକ ବୃଦ୍ଧି ପାଇବ ସେତେବେଳେ ଭଗବାନ କଲ୍କି ସେମାନଙ୍କୁ ବିନାଶ କରିବାକୁ ଅବତାର ଗ୍ରହଣ କରିବେ ଏବଂ ପାପୀମାନଙ୍କୁ ବିନାଶ କରି ଧର୍ମ ପ୍ରତିଷ୍ଠା କରିବେ । ଏହା ପରେ ସତ୍ୟଯୁଗ ଆରମ୍ଭ ହେବ ।

ତେଣୁ ସମସ୍ତ ଖରାପ କାର୍ଯ୍ୟ କିମ୍ବା ପାପ ପାଇଁ ପ୍ରଭୁ କଲ୍କିଙ୍କଠାରୁ କ୍ଷମା ପ୍ରାର୍ଥନା କରିବାକୁ ଏହି ଦିନ ପାଳନ କରାଯାଏ । ଏହି ଶୁଭ ଦିନରେ ଭକ୍ତମାନେ ଭଗବାନ ବିଷ୍ଣୁଙ୍କୁ ଅପାର ଭକ୍ତି ଓ ବିଶ୍ୱାସ ସହିତ ପୂଜା କରନ୍ତି ଏବଂ ପ୍ରଭୁଙ୍କଠାରୁ ଆଶୀର୍ବାଦ ଲୋଡିଥାନ୍ତି । ତେଣୁ ଏହି ଦିନ ଯିଏ ଭଗବାନ ବିଷ୍ଣୁଙ୍କ ପୂଜା କରିଥାଏ ସେହି ଭକ୍ତଙ୍କ ଘରେ ସର୍ବଦା ସୁଖ, ସମୃଦ୍ଧତା ଏବଂ ଶାନ୍ତି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like