ଜାଣନ୍ତୁ ଘଟଗାଁ ମା’ତାରିଣୀଙ୍କ ଆଷାଢୀ ପର୍ବର କିମ୍ବଦନ୍ତୀ, କଣ ପାଇଁ ବନ୍ଦ ରୁହେ ମନ୍ଦିର

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ । ମା’ ତାରିଣୀଙ୍କର ଆଜି ହେଉଛି ଆଷାଢୀ ପର୍ବ । ଏଥିପାଇଁ ପ୍ରଚଳିତ ପ୍ରଥା ଅନୁଯାୟୀ ମା’ତାରିଣୀ ମନ୍ଦିର ଓ ଦୁଆରସୁଣି ମନ୍ଦିର ଦିନବେଳା ସମ୍ପୂର୍ଣ୍ଣ ବନ୍ଦ ରହିବ । ସନ୍ଧ୍ୟା ୭ ଘଟିକାରୁ ରାତ୍ର ୧୦ଘଟିକା ପଯ୍ୟନ୍ତ ସମସ୍ତ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ଅନୁଷ୍ଠିତ ହେବା ସହ ଭକ୍ତମାନେ ମା’ ତାରିଣୀଙ୍କର ଦର୍ଶନ ଲାଭ କରିପାରିବେ। ଏଥିସହ ରାତ୍ର ୧୨ଟା ପରେ ମା’ତାରିଣୀଙ୍କ ଏକ ନିଶିପୂଜା ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ରହିଛି ଭକ୍ତ ଓ ସମାଜର କଲ୍ୟାଣ ପାଇଁ ମା’ ତାରିଣୀ ଗୋଟିଏ ଦିନ ଉପବାସ ରହିଥାନ୍ତି ।

କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ ଭଲ ଚାଷ ନହେବାରୁ ରାଜା ଗୋବିନ୍ଦ ଭଞ୍ଜ ମା’ ତାରିଣୀଙ୍କୁ ପ୍ରାର୍ଥନା କରିଥିଲେ । ଯେଉଁ ଦିନ ପ୍ରାର୍ଥନା କଲେ ସେହିଦିନ ହିଁ ମା’ ଦେହୁରୀଙ୍କୁ ସ୍ୱପ୍ନାଦେଶ ଦେଇଥିଲେ । ଆଷାଢ ମାସର ଶେଷ ଗୁରୁବାର ସମସ୍ତ ଗ୍ରାମର ମୁଖିଆଙ୍କୁ ପୂଜାର୍ଚ୍ଚନା ପାଇଁ ଡକାଇବାକୁ ଆଦେଶ ଦେଲେ । ତେବେ କିଛି ସମୟ ଭିତରେ ଏକଥା ଯାଇ ପହଁଚିଥିଲା ରାଜାଙ୍କ କାନରେ । ଯାହାପରେ ତୁରନ୍ତି ରାଜାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲା ।

ଗୋଟିଏ ପଟେ ପ୍ରସ୍ତୁତି ଚାଲିଥିବା ବେଳେ  ସେପଟେ ପୁଣି ମା’ ଦେହୁରୀଙ୍କୁ ସ୍ୱପ୍ନାଦେଶ ଦେଲେ କି, ଗୁରୁବାର ମା’ ନିଜେ ଉପବାସ ରହି ପ୍ରଜାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବେ । ତେଣୁ ପୂଜା ଦିନରେ କରିବା ପରିବର୍ତ୍ତେ ରାତିରେ କରିବାକୁ ଆଦେଶ ଦେଲେ । ମା’ଙ୍କ ଆଦେଶ ଅନୁସାରେ ସମସ୍ତ ପୂଜାର୍ଚ୍ଚନା ହେଲା । ଗ୍ରାମବାସୀ ନିଜ ଗ୍ରାମକୁ ଯାଇ ଚାଷକାମ ଆରମ୍ଭ କଲେ । ଯାହାପରେ ଭଲ ଫସଲ ଉତ୍ପାଦନ ହେଲା । ସେହିଦିନ ଠାରୁ ଆଜି ଯାଏ ମା’ଙ୍କ ଅଷାଢୀ ପର୍ବ ପାଳିତ ହୋଇ ଆସୁଛି । ଏହା ଏମିତି ଏକ ପର୍ବ ଯେଉଁଠି ଭକ୍ତ ଓ ସମାଜର କଲ୍ୟାଣ ପାଇଁ ମା’ ତାରିଣୀ ଗୋଟିଏ ଦିନ ଉପବାସ ରହିଥାନ୍ତି । ତେଣୁ ଜଗତ ଜନନୀ ମାଆ ତାରିଣୀଙ୍କ ଆଷାଢୀ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା ।

 

You might also like