ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା । ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ସହ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର ଧାମ । ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିବେ । ଚାରି ଆଶ୍ରମ ବିଜେ କରି ନୀତି ସମାପନ କରିବେ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସ୍ଥିତ ଝୁଲଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଲଷ୍ମୀ, ସରସ୍ୱତୀ ବିଜେ ହେବେ ।

ସେଠାରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ୭ ଦିନ ଧରି ଚାଲିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ବିରାଜିତ ଶ୍ରୀନୃସିଂହ ମହାପ୍ରଭୁ ଆଜ୍ଞାମାଳ ପାଇଁ ବିମାନରେ ବିଜେ ହେବେ । ଏକ ପଟୁଆରରେ ଠାକୁର ଶ୍ରୀମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ପରିକ୍ରମା କରିବେ । ତେବେ ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୁଏ ।

ଝୁଲଣ କୁଞ୍ଜରେ ଭିନ୍ନ ଭିନ୍ନ ପକ୍ଷୀ ବିରାଜମାନ କରିଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଶ୍ରୀ ଜଗନ୍ନାଥ ବଲ୍ଲବ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ସହିତ ଅନେକ ଛୋଟ ବଡ଼ ମଠ ମାନଙ୍କରେ ଏହି ଝୁଲଣ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଏହି ଅବସରରେ ଭିବିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ ହୋଇଥାଏ । ଶ୍ରୀଜଗନ୍ନାଥ ଭାରି ଭକ୍ତ ପ୍ରିୟ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର ମାସରେ ତେର ଯାତ ଅନୁଷ୍ଠିତ ହୋଇଥାଏ ।

ତନ୍ମଧ୍ୟରୁ ଏହି ଝୁଲଣଯାତ୍ରା ଅନ୍ୟତମ । ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରାର ସ୍ୱତନ୍ତ୍ରତା ଅନେକ ରହିଛି । ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ମଧ୍ୟ ଝୁଲଣଯାତ୍ରା ଆରମ୍ଭ ହୋଇଛି । ଭାଦ୍ରବ କୃଷ୍ନପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁ ରହିବ । ଦ୍ଵାପର ଯୁଗର ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀ ଝୁଲଣ କୁଞ୍ଜର ରାସଲୀଳାକୁ ସ୍ମରଣ କରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଏହି ମହାନ ପରମ୍ପରା କାହିଁ କେଉଁ ବର୍ଷରୁ ଚାଲିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.