କଳାହାଣ୍ଡିରେ ନୂଆଁଖାଇର ଏକ ସ୍ଵତନ୍ତ୍ରତା ରହିଛି । କାରଣ ଜିଲ୍ଲାରେ ଭିନ୍ନ ଭିନ୍ନ ତିଥିରେ ଲୋକେ ନବାନ୍ନ ଭକ୍ଷଣ କରିଥାଆନ୍ତି । ସେହିଭଳି ଏଠାରେ ସପ୍ତପୁରୀ ଅମାବାସ୍ୟାର ପ୍ରତିପଦା ଦିନ କେସିଙ୍ଗା ବ୍ଲକର ପଥରଲା ଓ ବାହାଦୂର ପଦର ଲୋକେ ପ୍ରଥମେ ନବାନ୍ନ ଭକ୍ଷଣ କରୁଥିବା ବେଳେ ସମଗ୍ର ଗ୍ରାମାଞ୍ଚଳରେ ଭଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଭବାନୀପାଟଣାଠାରେ ଥିବା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ପୀଠରେ ଓ ଜୟପାଟଣା, ତାଳଗୁଡ଼ ମା ଡୋକରୀ ଦେବୀଙ୍କ ପୀଠରେ ନୂଆ ଅନ୍ନ ଲାଗି ହେବାପରେ ଗଡଜାତ ଅଞ୍ଚଳର ଲୋକେ ଭବାନୀପାଟଣା, ଲାଞ୍ଜିଗଡ଼, ଥୁଆମୁଳ ରାମପୁର, ମଦନପୁର ରାମପୁର, କର୍ଲ।ପାଟ, ମହୁଲପାଟଣା, ଭଳି ଅଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ ।
ଭାଦ୍ରବମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡ଼ିଶା ତଥା କଳାହାଣ୍ଡିର ଜୁନାଗଡ଼ ଓ ଧର୍ମଗଡ, ନର୍ଲା କେସିଙ୍ଗା ଭଳି ବିଭିନ୍ନ ବ୍ଲକ୍ ରେ ନୂଆଁଖାଇ ପାଳିତ ହୋଇ ସାରିଥିବା ବେଳେ ଭବାନୀପାଟଣା ତଥା ଏମ୍ ରାମପୁର, ଜୟ ପାଟଣା, କର୍ଲାପାଟ ଲାଞ୍ଜିଗଡ଼, ଥୁଆମୁଳ ରାମପୁର ପ୍ରଭୃତି ଗଡ଼ଜାତ ଅଞ୍ଚଳରେ ଆଜି ନୂଆଖାଇ ପର୍ବ ପାଳନ ହେଉଛି । ଭାଦ୍ରବମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ସହ କଳାହାଣ୍ଡି ଗଡ଼ଜାତ ପୁରାତନ ଜମିଦାରୀ ଅଞ୍ଚଳରେ ଥିବା ଡୋକରୀ ଦେବୀ ପୀଠ ଗୁଡ଼ିକରେ ଆଜି ନୂଆଁଖାଇ ପର୍ବ ପାଳିତ ହେଉଛି ।
ଆଜି ସକାଳ ୮ ଟା ୨୦ମିନିଟ୍ ରୁ ୯ଟା ୪୦ ମିନିଟ୍ ମଧ୍ୟରେ ପ୍ରଥମେ ମା ମାଣିକେଶ୍ବରୀଙ୍କ ନିକଟରେ ନୂଆ ଚୁଡ଼ା ନବାନ୍ନ ଭୋଗ ଲାଗିବା ପରେ ସର୍ବସାଧାରଣ ୧୦ ଟାରୁ ୧୨ ମଧ୍ୟରେ ନୁଆଁଖାଇ ଖାଇପାରିବେ ବୋଲି ମାଣିକେଶ୍ବରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଏକ ଭାଇଚାରାର ପର୍ବ ଯିଏ ଯେଉଁଠି ଥିଲେ ମଧ୍ୟ ଏକାଠି ହୋଇ ବର୍ଷକୁ ଥରେ ପ୍ରକୃତିର ପ୍ରଥମ ଉତ୍ପାଦିତ ଶସ୍ୟକୁ ପରିବାର ସହ ରାଗରୁଷା ଛାଡି ହସ ଉଲ୍ଲାସରେ ଏହି କୃଷିଭିତ୍ତିକ ନୂଆଁଖାଇ ପର୍ଵକୁ ପାଳନ କରୁଛନ୍ତି ଲୋକେ ।