କାର୍ତ୍ତିକ ମାସରେ’ଆକାଶ ଦୀପ’ର ପରମ୍ପରା

କାକଟପୁର: ମାସ ମଧ୍ୟରେ ଶ୍ରେଷ୍ଠ ଏବଂ ଧର୍ମ ମାସ ଭାବରେ  କାର୍ତ୍ତିକ ମାସକୁ ଗ୍ରହଣ କରାଯାଇଥାଏ ଏହି କାର୍ତ୍ତିକ ମାସ ପୂଣ୍ୟର ମାସ ବୋଲି ବିଭିନ୍ନ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ୍ୟ କରାଯାଇଛି  । ଏଥିପାଇଁ ହିନ୍ଦୁ ଧର୍ମାଲମ୍ବୀ ଲୋକମାନେ ବିଶେଷ ଭାବରେ ଏହି ମାସରେ ବିଭିନ୍ନ ଧର୍ମ କାର୍ଯ୍ୟ ମାନ କରିଥାନ୍ତି ବିଶ୍ୱାସ ରହିଛି ଏହି ମାସରେ ଧର୍ମ କଲେ ଅନେକ ପୂଣ୍ୟ ଲାଭ ହୋଇଥାଏ । ଏଥିପାଇଁ ବିଭିନ୍ନ ତୀର୍ଥ କ୍ଷେତ୍ର ଏବଂ ମନ୍ଦିର ,ମଠ ମାନଙ୍କରେ ଓଡିଆ ଲୋକମାନେ ବ୍ରତ ପାଳନ କରିବା ସହିତ ହରି କୀର୍ତନରେ ନିଜକୁ ସାମିଲ କରିଥାନ୍ତି ।

ଓଡିଆ ଲୋକମାନେ ବାରମାସରେ ପାଳନ କରନ୍ତି ତେର ଓଷା । ପ୍ରତେକ ମାସର ରହିଛି ସ୍ଵତନ୍ତ୍ର ପରମ୍ପରା । କାର୍ତ୍ତିକ ମାସକୁ ନେଇ ଓଡିଆ ମାନଙ୍କର ରହିଛି ଏକ ଧାର୍ମିକ ବିଶ୍ୱାସ । କାର୍ତ୍ତିକ ମାସରେ ଆରମ୍ଭ ହୋଇଥାଏ ପିତୃପକ୍ଷ ଏହି ସମୟରେ ପିତୃପୁରୁଷ ମାନେ ଆସିଥାନ୍ତି ଧରାଧାମକୁ । ଏହି ସମୟରେ ଲୋକମାନେ ସେମାନଙ୍କ ପୂର୍ବଜ ମାନଙ୍କ ଉଦ୍ଦେଶ୍ୟରେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି । ଦେବତାଙ୍କ ଉଦ୍ଦେଶ୍ୟରେ ମନ୍ଦିର ମାନଙ୍କରେ ଏବଂ ଘରେ ଦୀପ ଦାନ କରାଯାଉଥିବା ବେଳେ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ଲୋକମାନେ ଆକାଶ ଦୀପ ଦାନ କରିବାର ଧାର୍ମିକ ବିଶ୍ୱାସ ରହିଛି । 

ଯାହାଦ୍ୱାରା ସେମାନଙ୍କ ଠାରୁ ସନ୍ତାନ ମାନଙ୍କୁ ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଆରମ୍ଭ ରୁ କେତେକ ସ୍ଥାନରେ ଏହି ଆକାଶ ଦୀପ ଉଠୁଥିବା ବେଳେ କେତେକ ସ୍ଥାନରେ ଅଁଳା ନବମୀ ଠାରୁ ଆକାଶ ଦୀପ ଜଳିବା ଦେଖିବାକୁ ମିଳିଥାଏ ତ ଆଉ କେଉଁଠି ପଞ୍ଚୁକ ପାଞ୍ଚ ଦିନ ଆକାଶ ଦୀପକୁ ଜଳାଇଥାନ୍ତି  । ହେଲେ ଆଜିକାଲି ଏହି ପରମ୍ପରା ଅନେକ ଗ୍ରାମରୁ ହଜିଯାଇଥିବାବେଳେ ଆଉ କେତେକ ଗ୍ରାମରେ  ଏହି  ଆକାଶ ଦୀପ ପରମ୍ପରା ବଞ୍ଚିରହିଥିବା ଦେଖିବାକୁ ମିଳୁଛି

ଆଧୁନିକର ଚାକଚକ୍ୟ ଭିତରେ ସମାଧି ନେଇଗଲାଣି ଅନେକ ଓଡିଆ ପରମ୍ପରା ସେଥିମଧ୍ୟରୁ ଆକାଶ ଦୀପ ହେଉଛି କାର୍ତ୍ତିକ ମାସର ଏକ ଅନନ୍ୟ ପରମ୍ପରା ଦିନ ଥିଲା କାର୍ତ୍ତିକ ମାସରେ ପ୍ରତେକ ଗ୍ରାମରେ ପ୍ରତି ଘର ଦାଣ୍ଡ ଦୁଆର ଚଉରା ମୂଳରେ ଓଡିଆଣୀ ବୋହୁଟିଏ ସଞ୍ଜ ନଇଁଲେ ଆକାଶକୁ ଟେକି ଦେଉଥିଲା ଧର୍ମର ଦେବତାଙ୍କ ଉଦ୍ଦେଶ୍ୟରେ ଧର୍ମର ପ୍ରତୀକ ଆକାଶ ଦୀପ । କିନ୍ତୁ ଆଜି ଆଧୁନିକତା ଭିତରେ ହଜି  ଯାଇଛି ଓଡିଶାର ସେହି ପ୍ରାଚୀନ ପରମ୍ପରା । କାର୍ତ୍ତିକ ମାସ ରେ ଘର ଦୁଆର ଚଉରା ମୂଳରେ ଦେଖିବାକୁ ମିଳୁନି ଆକାଶ ଦୀପର ବାଉଁଶ ପୋତା ,କି ମୁଣ୍ଡ ଉପରେ ଆକାଶକୁ ଟେକି ହୋଇଥିବା ଆକାଶ ଦୀପର ସେହି ମାଟିହାଣ୍ଡି ଭିତରେ ଜଳୁଥିବା ଆକାଶ ଦୀପର ଦୀପ ଶିଖା ।

ତେବେ ଏହି ପ୍ରାଚୀନ ପରମ୍ପରା କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳରେ ପ୍ରତିଘର ଦାଣ୍ଡ ଦୁଆରରେ ଦେଖିବାକୁ ମିଳୁଥିଲା ,କିନ୍ତୁ ସେହି ପରମ୍ପରା ଆଜି ଆଉ ଦେଖିବାକୁ ମିଳୁନି ଏହିଭଳି ଅନେକ ପରମ୍ପରା ହଜି ଯାଇଥିବା ବେଳେ କିନ୍ତୁ ଏବେବି କେତେକ ଗ୍ରାମ ମନ୍ଦିରରେ ଦେଖିବାକୁ ମିଳୁଛି ସେହି ପ୍ରାଚୀନ ପରମ୍ପରା । ଅସ୍ତରଙ୍ଗ ନିକଟ ଗୁଡୁବଣୀ ଗ୍ରାମର ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ ଗ୍ରାମବାସୀ ମାନଙ୍କ ଦ୍ଵାରା ପାରମ୍ପରିକ ଭାବରେ ଦିଅଁଙ୍କ ଆଳତି କରାଯିବା ପରେ ସେଠାରେ ନାମ ସଙ୍କୀର୍ତନ କରାଯାଇ ଆକାଶକୁ ଟେକାଯାଇଛି ଆକାଶ ଦୀପ । 

କାର୍ତ୍ତିକ ମାସ ଆରମ୍ଭରୁ ଏହି ମନ୍ଦିରରେ ଆରମ୍ଭ ହୋଇଛି ଆକାଶ ଦୀପର ପରମ୍ପରା  ପ୍ରତେକ ଦିନ ପ୍ରାତଃ ସମୟ ଏବଂ ସଞ୍ଜ ସମୟରେ ଆକାଶକୁ ଟେକାଯାଉଛି ଆକାଶ ଦୀପ । ଏଥିପାଇଁ ଖଣ୍ଡେ ବାଉଁଶକୁ ପୋତାଯାଇ ସେଥିରେ ରଶି ଲଗାଇ ନୂଆ ମାଟିହାଣ୍ଡିକୁ ଏକ ସିକା ମଧ୍ୟରେ ରଖାଯାଇ ହାଣ୍ଡି ମଧ୍ୟରେ ଘିଅ,ଦୀପକୁ ଜଳାଇ  ବନ୍ଦାପନା କରାଯାଇ ରଖାଯାଇଥାଏ ଏହାପରେ ହାଣ୍ଡି ଉପରେ ପଲମ ଘୋଡା ଯାଇ ରଶି ମାଧ୍ୟମରେ ଧୀରେ ଧୀରେ ଆକାଶକୁ ଟେକି ଦିଆଯାଇଥାଏ । ତେବେ ଏହି ଆକାଶ ଦୀପ ଧର୍ମର ପ୍ରତୀକ ହୋଇଥାଏ ଏବଂ ଆକାଶ ଦୀପକୁ ଶ୍ରଦ୍ଧା ଏବଂ ଭକ୍ତି ଭାବରେ ଦର୍ଶନ କଲେ ମନବାଞ୍ଛା ପୂରଣ ହୋଇଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି ।

 

 

You might also like