ନୀଳଗିରି: ଦୁର୍ଗା ପୂଜାରେ ନିଆରା ବଳି ଖେଳ । ଚଳଚଞ୍ଚଳ ନୀଳଗିରି ରାଜବାଟି । ନରବଳି, ମଇଁଷି ବଳି, ବୋଦା ବଳି, ମେଣ୍ଢା ବଳି ଏସବୁ ପ୍ରଥା ଥିଲା । ଯାହା ନୀଳଗିରିର ଶେଷ ରାଜା ରାଜେନ୍ଦ୍ର ଚନ୍ଦ୍ର ମର୍ଦରାଜଙ୍କ ସମୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଏବେ କଖାରୁ ବଳିରେ ସୀମିତ ରହିଛି । କେହି କେହି ଏହାକୁ ଲୋକକଥା ବୋଲି କହନ୍ତି । ତେବେ ପ୍ରାଥମିକ ଅବସ୍ଥାରେ ମାଆଙ୍କ ପ୍ରତିନିଧି ସାଜିଥିବା ବଳି ନାହାକ ଶ୍ରୀଧର ମଲ୍ଲିକ, ଉକ୍ତ ଖେଳରେ ରାଜବାଟି ପରିସରରେ ଗୋଡ଼ାଇ ଗୋଡ଼ାଇ ଯେଉଁ ବ୍ୟକ୍ତିକୁ ଛୁଇଁଥାନ୍ତି, ଛୁଇଁବା ପରେ ଖେଳ ଶେଷ ହୋଇଥାଏ ।
ସେହି ବ୍ୟକ୍ତି କୁଆଡେ କିଛି ଦିନ ପରେ ରୋଗାଗ୍ରସ୍ତ ହୋଇ ମୁତ୍ୟବରଣ କରେ ବୋଲି, ଲୋକ ମୁଖରୁ ଶୁଣାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ,ବହୁ ପୂର୍ବରୁ ମଇଁଷି, ବୋଦା ଏବଂ ମେଣ୍ଢା ବଳି ଦିଆଯାଉଥିବାବେଳେ ଏବେ କଖାରୁ ବଳିରେ ସୀମିତ ରଖାଯାଇଛି । ମାଆଙ୍କ ନବଦିିନାତ୍ମକ ପୂଜା ପୂର୍ବରୁ ଉକ୍ତ ଖେଳ ଆଠ ଦିନ ହେଉଥିଲା ବେଳେ ଏବେ ପାଞ୍ଚ ଦିନ ହେଉଛି । ତେବେ ବଳି ଖେଳ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକ ମାନେ ଆସିଥାନ୍ତି । ଏହି ନିଆରା ପରମ୍ପରାକୁ ବେଶ୍ ଉପଭୋଗ କରିଥାନ୍ତି।
ଦୁଇ ଶହ ବର୍ଷର ନୀଳଗିରିର ରାଜବାଟି ପରସରରେ ମାଆ କନକ ଦୁର୍ଗାଙ୍କ ମନ୍ଦିର । ଏବେର ସମୟରେ ପ୍ରତୀକାତ୍ମକ ଭାବେ, ମାଆଙ୍କ ପୀଠରେ କଖାରୁ ବଳି ଦିଆଯାଉଥିବା ଦେଖାଯାଉଛି । ଆଜି ଦିନରେ ବଳି ନାହାକ ଖେଳ ନୀଳଗିରିରେ ସାଧାରଣ ଜନତାଙ୍କ ପାଇଁ ଏକ ଆମୋଦ ପ୍ରମୋଦର ବିଷୟ ହୋଇଛି ।
ଏହି ଖେଳ ଦେଖିବାକୁ ହଜାର ହଜାର ଲୋକଙ୍କର ଆଗମନ ହୁଏ । ସବୁଠାରୁ ମଜା ଉଠାନ୍ତି କିଶୋର ଓ ଯୁବକ ମାନେ । ମାଆ କନକ ଦୁର୍ଗାଙ୍କ ପୀଠ ନିଆରା ବଳି ଖେଳ ସମୟରେ ଧାଆଁ ଦୌଡ଼ରେ ଦୁଇ ତିନି ଘଣ୍ଟା ସମୟ ଅତିବାହିତ ହୋଇଯାଇଥାଏ । ପ୍ରତୀକାତ୍ମକ ଭାବେ ଦୁଃଖ ଓ ଦୁର୍ଗତୀକୁ ନାଶ କରିବାରେ ମାଆ କନକ ଦୁର୍ଗାଙ୍କର ଏହି ଖେଳ ପ୍ରମୁଖ ଭୂମିକା ନିଭାଇବା ସହିତ, ମାଆ, ପ୍ରଜାପାଳକ ରାଜା ଓ ପ୍ରଜାଙ୍କ ମଧ୍ୟରେ ପ୍ରେମ ଓ ସମ୍ପର୍କର ଅଭୟ ପ୍ରଦାନ କରିଥାଏ ।