ଜାଣନ୍ତୁ ଦେବ ଦୀପାବଳି ନୀତି କଣ?

ପୁରୀ : କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରଣ କରିବା ସହ ଆଶିଷ ପ୍ରଦାନ କରିଆସୁଅଛନ୍ତି । ତେବେ ପ୍ରତିଦିନ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ସମ୍ପନ୍ନ କରାଯାଇଥାଏ । ସେହି ନୀତି ଭିତରୁ ଦେବ ଦୀପାବଳୀ ଅନ୍ୟତମ ।

ଶ୍ରୀମନ୍ଦିରରେ ଗତକାଲିଠାରୁ ଏହି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ଧରି ଏହା ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ତିନି ଠାକୁର ଶ୍ୱେତ ବସ୍ତ୍ର ପରିଧାନ କରିବେ । ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ । ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ । ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ । ଦେବ ଦୀପାବଳୀ ଅବସରରେ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି ।

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ, ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ଶ୍ରୀମନ୍ଦିରରେ ପାଳନ କରାଯାଏ ।  ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି ।  ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ ।

କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ।  ଶ୍ରୀଜଗନ୍ନାଥଙ୍କ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି । ଶ୍ରୀବଳଭଦ୍ରଙ୍କ ବସ୍ତ୍ରର ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା । ଶ୍ରୀସୁଭଦ୍ରାଙ୍କ ଶାଢ଼ିର ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।  ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ ।  ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ ।

You might also like